ଯୋଦ୍ଧା-ଆକବର ଉଦାହରଣ ଦେଇ ହାଇକୋର୍ଟ କହିଲେ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଠିକ୍ ନୁହେଁ

1 min read

ଲକ୍ଷ୍ନୌ: କେବଳ ଧର୍ମ ପରିବର୍ତ୍ତନ ପାଇଁ ବିବାହ ଠିକ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି । ଲଭ୍ ଜିହାଦ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାକଚ କରି ହାଇକୋର୍ଟ ଏଭଳି କହିଛନ୍ତି । ହାଇକୋର୍ଟ ଜାମିନ ଆବେଦନର ଶୁଣାଣି କରି ବିଚାରପତି ମୋଗଲ ବାଦଶାହା ଆକବର ଓ ଯୋଦ୍ଧାବାଇଙ୍କ ବିବାହର ଉଦାହରଣ ଦେଇ କହିଥିଲେ ଯେ, ଆକବର ଯୋଦ୍ଧାଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ଧର୍ମ ପରିବର୍ତ୍ତନ କରିନଥିଲେ । ଉଭୟ ପରସ୍ପରର ଧର୍ମୀୟ ବିଶ୍ୱାସର ସମ୍ମାନ କରୁଥିଲେ ଓ ପରସ୍ପର ପ୍ରତି ସେମାନଙ୍କ ସମ୍ମାନଭାବ ମଧ୍ୟ ଥିଲା ।
ଏଟା ଜିଲ୍ଲାର ଜାଭେଦ ନାମକ ବ୍ୟକ୍ତି ଲଭ ଜିହାଦ ଅଭିଯୋଗରେ ଜେଲରେ ଅଛନ୍ତି । ଜାଭେଦଙ୍କ ଜାମିନ ଆବେଦନର ଶୁଣାଣି ବେଳେ ବିଚାରପତି କହିଥିଲେ ଯେ, ଧର୍ମ ବ୍ୟକ୍ତିଗତ ଆସ୍ଥାର ବିଷୟ ଓ ଏହା ଆପଣଙ୍କ ଜୀବନଶୈଳୀକୁ ଦର୍ଶାଇ ଥାଏ । ଇଶ୍ୱରଙ୍କ ପ୍ରତି ଆସ୍ଥା ପ୍ରଦର୍ଶନ କରିବାକୁ କୌଣସି ବିଶେଷ ପୂଜାପଦ୍ଧତିର ଆବଶ୍ୟକତା ନାହିଁ । ବିବାହ ପାଇଁ ସମାନ ଧର୍ମର ହେବା ଜରୁରୀ ନୁହେଁ । ଏମିତିରେ କେବଳ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ । ଅଦାଲତ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନରେ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କର କୌଣସି ଆସ୍ଥା କି ବିଶ୍ୱାସ ନଥାଏ । ଏହା କେବଳ ଚାପ,ଭୟ କିମ୍ବା ଲୋଭ ଦ୍ୱାରା ହୋଇଥାଏ । କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ କୌଣସି ସାମ୍ବିଧାନିକ ମାନ୍ୟତା ନାହିଁ ।
ବ୍ୟକ୍ତିଗତ ଲାଭ ପାଇଁ କରାଯାଇଥିବା ଧର୍ମ ପରିବର୍ତ୍ତନ କେବଳ ବ୍ୟକ୍ତିଗତ ଭାବେ କ୍ଷତିକାରକ ହୋଇନଥାଏ ଏହା ମଧ୍ୟ ସମାଜ ପାଇଁ ବିପଜ୍ଜନକ ହୋଇଥାଏ । ଏଭଳି ଧର୍ମପରିବର୍ତ୍ତନ ଦ୍ୱାରା ଧର୍ମାନ୍ଧଙ୍କୁ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବଳ ମିଳିଥାଏ ବୋଲି ଅଦାଲତ ନିଜ ବକ୍ତବ୍ୟରେ କହିଥିଲେ ।
ମାମଲା କ’ଣ
ଏଟା ଜିଲ୍ଲାର ଜାଭେଦଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରିବା ପରେ ତାଙ୍କ ଅଜାଣତରେ କିଛି କାଗଜପତ୍ରରେ ଦସ୍ତଖତ ନେଇ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ । ହିନ୍ଦୁ ଯୁବତୀ ଜଣକ ପରେ ଏନେଇ ଅଦାଲତରେ ଅଭିଯୋଗ କରିଥିଲେ । ଜାଭେଦ ଏହି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଜାମିନରେ ଆସିବା ପାଇଁ ଜାଭେଦ ଆବେଦନ କରିଥିଲେ ମଧ୍ୟ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରକାଶ ପାଇଲା CBSE ୧୦ମ ଶ୍ରେଣୀ ପରୀକ୍ଷା ଫଳ, ପାସ ହାର ରହିଛି ୯୯.୦୪ ପ୍ରତିଶତ

Leave a Reply