ପ୍ରାପ୍ତ ବୟସ୍କ ନିଜ ଜୀବନ ସାଥି ବାଛିପାରିବେ: ପିତାମାତା କରିପାରିବେନି ହସ୍ତକ୍ଷେପ

ଲକ୍ଷ୍ଣୌ: ଜଣେ ପ୍ରାପ୍ତବୟସ୍କ ନିଜର ଜୀବନ ସାଥୀଙ୍କୁ ବାଛିପାରିବେ । ଏହା ତାଙ୍କର ଅଧିକାର । ଯେକୌଣସି ଧର୍ମର ହୋଇଥିଲେ ବି ଏହା ଉଭୟ ପୁରୁଷ ଓ ମହିଳାଙ୍କର ଏହା ଅଧିକାର ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ମନୋଜ କୁମାର ଗୁପ୍ତା ଓ ଜଷ୍ଟିସ ଦୀପକ ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଜଣେ ମୁସଲମାନ ଓ ଜଣେ ହିନ୍ଦୁ ପ୍ରେମୀଯୁଗଳଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ । ଏହି ପ୍ରେମ ବିବାହକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ତେଣୁ ସେମାନଙ୍କ ଜୀବନ ବିପଦରେ ରହିଛି ବୋଲି ପିଟିସନରେ ଦର୍ଶାଇଥିଲା । ପ୍ରେମୀଯୁଗଳଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କ ବିବାହ ପ୍ରସଙ୍ଗରେ ଦୁଇ ପକ୍ଷର ପିତାମାତା ହସ୍ତକ୍ଷେପ ନ କରିବା ଲାଗି କୋର୍ଟ କହିଛନ୍ତି । ଭିନ୍ନ ଧର୍ମ ସତ୍ତ୍ୱେ ନିଜ ଜୀବନ ସାଥୀ ବାଛିବା ନେଇ କୌଣସି ଅସୁବିଧା ନାହିଁ । ଏନେଇ ସେମାନଙ୍କ ପିତାମାତା, ସମ୍ପର୍କୀୟ ବା ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ କୋର୍ଟ ।