ଶାନ୍ତ ହେଉନି ଉତ୍ତର ପୂର୍ବ, ଆସାମକୁ ଟ୍ରେନ୍ ଓ ବିମାନ ସେବା ବାତିଲ୍

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଉଭୟ ଗୃହରେ ନାଗରିକ ସଂଶୋଧନ ବିଲ୍ ପାସ୍ ହେବା ପରେ ଉତ୍ତର ପୂର୍ବ ଅଞ୍ଚଳରେ ଏହାକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି । ଗତ ୪ ଦିନ ଧରି ଜାରି ରହିଥିବା ଆନ୍ଦୋଳନ ଓ ବିକ୍ଷୋଭ ଅଧିକ ଭୟଙ୍କର ହୋଇଛି । ବିଶେଷକରି ଆସାମରେ ପରିସ୍ଥିତି ଏବେ ଅଣାୟତ୍ତ ହୋଇଛି । ଆର୍ମି ମୁତୟନ ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ଅଧିକାଂଶ ସ୍ଥାନରେ ବଜାର ବନ୍ଦ କରି ଲୋକେ ରାସ୍ତାରେ ପୋଡ଼ା ଜଳା କରିଛନ୍ତି । ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ବିଭିନ୍ନ ସ୍ଥାନରେ ହରତାଳ୍ ଜାରି ରହିଛନ୍ତି । ବିଭିନ୍ନ ରାଜନୀତିକ ଦଳର ନେତା ମନ୍ତ୍ରୀଙ୍କ ବାସ ଭବନ ଆଗରେ ଆନ୍ଦୋଳନ ଚାଲିଛି । ହିଂସାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ରଖାଯାଇଥିବା ବେଳେ ବହୁ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଛି ।

ଏପଟେ ନର୍ଥ ଫ୍ରଣ୍ଟାୟାରର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସୂଚନା ମୁତାବକ ଅପ୍ପର ଆସାମ୍ ଅଞ୍ଚଳକୁ ଯାଉଥିବା ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ୍ କରାଯାଇଛି ।

ଇଣ୍ଡିଗୋ ସମେତ ପ୍ରମୁଖ ବିମାନ ସେବା କଂପାନୀ ଦିବ୍ରୁଗଡ଼ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣ ବାତିଲ୍ କରିଛନ୍ତି । ଆଜି ସେଠାରୁ କୌଣସି ବିମାନ ଉଡ଼ାଣ ଭରିବ ନାହିଁ ବୋଲି ସୂଚନା ଦିଆଯାଇଛି । ଟିକେଟ୍ କରିଥିବା ଲୋକଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଂପାନୀ କର୍ତ୍ତୃପକ୍ଷ ।

Leave a Reply