ଅଣାୟତ୍ତ ଦିଲ୍ଲୀ ବାୟୁ ପ୍ରଦୂଷଣ; ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁଣି ସ୍କୁଲ ବନ୍ଦ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ । ବଢ଼ୁଛି ପ୍ରଦୂଷଣ, ବଢ଼ୁଛି ସମସ୍ୟା । ଏଥିମଧ୍ୟରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । କେଜ୍ରୀଓ୍ୱାଲ ସରକାର ଏହି ଆଦେଶ ଶୁକ୍ରବାରଠାରୁ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ-ଏନସିଆରରେ ଗତ ଏକ ମାସ ଧରି ବାୟୁ ପ୍ରଦୂଷଣ ଲଗାତର ଭାବରେ ବଢ଼ିବାରେ ଲାଗିଛି । ଆଜି ଦିଲ୍ଲୀର କିଛି ସ୍ଥାନରେ ପ୍ରଦୂଷଣସ୍ତର ଅଧିକ ରହିଥିଲା । ଦିଲ୍ଲୀର କିଛି ସ୍ଥାନରେ ଆଜି ବାୟୁ ଗୁଣବତ୍ତା ୬୦୦ରୁ ଅଧିକ ରହିଥିଲା ।

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଲଗାତର ଭାବରେ ସୁପ୍ରିମ କୋର୍ଟ ଶୁଣାଣି କରୁଛି । ସୁପ୍ରିମ କୋର୍ଟ ଗୁରୁବାର ଏହି ମାମଲାରେ ଶୁଣାଣି କରି ଦିଲ୍ଲୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରଶ୍ନ ଉଠାଇଥିଲେ । ଦିଲ୍ଲୀରେ ଲଗାତର ଭାବରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ଏପରି ସ୍ଥିତିରେ କିପରି ଦିଲ୍ଲୀରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଲ ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ । ଘରର ବଡ଼ ଲୋକ ଘରେ ରହି କାମ କରୁଥିବାବେଳେ ଛୋଟ ପିଲା କିପରି ସ୍କୁଲ ଆସିବେ ବୋଲି ମଧ୍ୟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ସୁପ୍ରିମ କୋର୍ଟ ।

କୋର୍ଟ ଆହୁରି କହିଛି କି ଆପଣ କହୁଛନ୍ତି କି ଅଭିଭାବକ ଯଦି ଚାହିଁବେ ତେବେ ପିଲାଙ୍କୁ ସ୍କୁଲ ପଠାଇ ପାରିବେ। ସୁପ୍ରିମ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଦିଲ୍ଲୀ ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ପ୍ରଦୂଷଣର ସ୍ତରକୁ ଦେଖି ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଦୂଷଣ ମାମଲାକୁ ନେଇ ଆଜି ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ଆପଣେଇଥିଲା । ସୁପ୍ରିମ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛି କି ଆମେ ୨୪ ଘଣ୍ଟା ଦେଉଛୁ । ସରକାର ବାୟୁ ପ୍ରଦୂଷଣ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ନହେଲେ ଆମେ ଆଦେଶ ଜାରି କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

 

Leave a Reply