ଆଜିଠୁ ସ୍କୁଲରେ ପାଠପଢା: କରୋନା କଟକଣା ଭିତ୍ତିରେ SOP ପାଳନକୁ ଗୁରୁତ୍ୱ, ଉତ୍ସାହିତ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର: ସରିଲା ଛୁଟି, ଏବେ ପାଠପଢା । ଦୀର୍ଘ ଦିନ ପରେ ବହିବସ୍ତାନି ଧରି ଶିକ୍ଷାନୁଷ୍ଠାନ ଆସିବେ ବିଦ୍ୟାର୍ଥୀ । ଏବେ ଆରମ୍ଭ ହେବ ନନଷ୍ଟପ୍ ପାଠପଢା । ଆଜି ରାଜ୍ୟରେ ଖୋଲିବ ସରକାରୀ ଓ ବେସରକାରୀ ସ୍କୁଲ । ରାଜ୍ୟର ୮ ହଜାର ସରକାରୀ ବିଦ୍ୟାଳୟ ସମେତ ୨ ହଜାର ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବ । ରାଜ୍ୟ ସରକାର ଜାରି କରିଥିବା ସମସ୍ତ ଏସଓପିକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ସହ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାସ୍ତରୀୟ ନୋଡାଲ ଅଫିସରର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ କଟକଣା ଭିତରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା । ସ୍କୁଲ ଖୋଲିବା ପୂର୍ବରୁ କ୍ଲାସରୁମ ସାନିଟାଇଜ କରାଯାଇଥିବାବେଳେ ସଫେଇ କାମ ମଧ୍ୟ ଶେଷ ହୋଇଛି । ସ୍କୁଲ ଖୋଲିବା ନେଇ ଉତ୍ସାହିତ ଅଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ।

ତେବେ ଦଶମ, ଦ୍ୱାଦଶ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ ।

କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ । କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସିପାରିବେ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ । ଅନଲାଇନ୍ କ୍ଲାସ୍ ବି ହେବ ।

Leave a Reply