ରାଜ୍ୟସଭା ପରିଚାଳନା କରି ପ୍ରଶଂସା ସାଉଁଟିଲେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର

1 min read

ଭୁବନେଶ୍ୱର, ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ପାର୍ଲାମେଣ୍ଟ । ଏହାର ଉଚ୍ଚ ସଦନ ତଥା ହାଉସ ଅଫ୍ ଏଲ୍ଡର୍ସ ହେଉଛି ରାଜ୍ୟ ସଭା । ଏହି ସଭାରେ କୌଣସି ରାଜ୍ୟର ପ୍ରତିନିଧିତ୍ୱ କରିବା ଯେ କୌଣସି ସାଂସଦଙ୍କ ପାଇଁ ଗର୍ବର ବିଷୟ । ଦେଶର ଉପରାଷ୍ଟ୍ରପତି ଏହି ସଭାର ସଭାପତିତ୍ୱ କରିଥାଆନ୍ତି । ତାଙ୍କୁ ସହଯୋଗ କରିଥାଆନ୍ତି ଉପାଧ୍ୟକ୍ଷ । ଅନେକ ସମୟରେ ଦକ୍ଷ ସଦସ୍ୟଙ୍କୁ ନେଇ ଗଠିତ ହୋଇଥାଏ ପରିଚାଳନା କମିଟି । ସସ୍ମିତ ପାତ୍ର ପ୍ରଥମଥର ରାଜ୍ୟ ସଭାକୁ ମନୋନୀତ ହୋଇ କେବଳ ଓଡ଼ିଶାର ଦାବିକୁ ଉପସ୍ଥାପିତ କରିବାରେ ନିଜକୁ ସୀମିତ ରଖିନାହାନ୍ତି ।

ସସ୍ମିତଙ୍କ ଦକ୍ଷତା, କୌଣସି ବିଷୟକୁ ବୁଝିବା ପାଇଁ ଆବଶ୍ୟକ ଧୀଶକ୍ତି ଏବଂ ସର୍ବୋପରି ଶୃଙ୍ଖଳା କାରଣରୁ ତାଙ୍କୁ ଗୃହ ପରିଚାଳନା କରିବାକୁ ସୁଯୋଗ ମିଳିଥିଲା । ଆଉ ଏହାର ସଦୁପଯୋଗ କରିଥିଲେ ସସ୍ମିତ । କୋଭିଡ ଏବଂ ଅନ୍ୟାନ୍ୟ କାରଣରୁ ବୁଧବାର ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଏହି ରାଜ୍ୟ ସଭା ଅଧିବେଶନରେ ଶେଷ ଦିନ ମଧ୍ୟ ସସ୍ମିତଙ୍କୁ ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା ।

ସସ୍ମିତଙ୍କ ସଭାପତିତ୍ୱରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡିକ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଜାତୀୟ ଫରେନସିକ ସାଇନ୍ସ ୟୁନିଭରସିଟି-୨୦୨୦, ରାଷ୍ଟ୍ରୀୟ ରକ୍ଷା ୟୁନିଭରସିଟି ବିଲ୍-୨୦୨୦ ଗତକାଲି ସସ୍ମିତଙ୍କ ସଭାପତିତ୍ୱରେ ଗୃହୀତ ହୋଇଥିଲା । ସେହିପରି ଶେଷ ଦିନରେ ଶ୍ରମିକ ଏବଂ ଶ୍ରମଶକ୍ତିଙ୍କୁ ନେଇ ଆସିଥିବା ବିଧେୟକଗୁଡିକ ଆଲୋଚନା ଏବଂ ଗୃହୀତ ସମୟରେ ସସ୍ମିତ ଗୃହ ପରିଚାଳନା କରୁଥିଲେ । ଗତ ଶନିବାରଠାରୁ ବୁଧବାର ମଧ୍ୟରେ ସସ୍ମିତ ଏକାଧିକଥର ଗୃହ ପରିଚାଳନା କରିସାରିଛନ୍ତି । ଦଳମତ ନିର୍ବିଶେଷରେ ସସ୍ମିତଙ୍କୁ ଅନ୍ୟ ସମସ୍ତ ରାଜ୍ୟନୈତିକ ଦଳର ନେତାମାନେ ପ୍ରଶଂସା କରିଥିଲେ । ପୂର୍ବରୁ ସସ୍ମିତ ନିଜର ପ୍ରଥମ ବକ୍ତବ୍ୟରେ ହିଁ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଏବଂ ଅନ୍ୟମାନଙ୍କର ପ୍ରଶଂସା ସାଉଁଟିଥିଲେ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ସଂସଦର ଉଚ୍ଚସଦନରେ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାରା ରାଜ୍ୟର ପ୍ରତ୍ୟେକ ବର୍ଗରୁ ସସ୍ମିତଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା ।

 

Leave a Reply