ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ । ଏହା କିପରି ସୂଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସମ୍ପାଦିତ ହେବ ସେ ସମ୍ପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ନିମନ୍ତେ ଆହ୍ୱାନ ଦେଇଛନ୍ତି  । ଏହି ବୈଠକ ଆସନ୍ତାକାଲି ସାଢ଼େ ୧୧ ସମୟରେ ବିଧାନସଭା ସଚିବାଳୟର ୫୯ ନମ୍ୱର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ପ୍ରାୟତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହି ବୈଠକ ଆହ୍ୱାନ କରାଯାଇଥାଏ । କିନ୍ତୁ ସମ୍ପ୍ରତି ପୌର ଓ ମହାନଗର ନିଗମ ନିର୍ବାଚନରେ ବିଧାୟକ ଓ ବିଧାୟିକାମାନେ ବ୍ୟସ୍ତ ରହୁଥିବା ହେତୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି ।

ବିଧାନସଭା ନିୟମାବଳୀ ଏବଂ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ବିଧାନସଭା ଆରମ୍ଭ ଅର୍ଥାତ ମାର୍ଚ୍ଚ ୨୫ ତାରିଖ ଦିନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ । ଏହାପରେ ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନିଦିନ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ଆଦି ସମ୍ପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ. ପାତ୍ର କହିଛନ୍ତି ।