କାଲିଠୁ ସଂସଦ ସ୍ବତନ୍ତ୍ର ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ତା’ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ସଂସଦ ଅଧିବେଶନର ସୁପରିଚାଳନା ଲାଗି ବିରୋଧୀ ଦଳଙ୍କ ସହାୟତା ଲୋଡିବେ ସରକାର । ଅଦିନିଆ ଅଧିବେଶନକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଥିବାବେଳେ ଏହି ଅଧିବେଶନ କାର୍ଯ୍ୟକ୍ରମ ନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ସରକାର ।

୧୮ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ୪ଟି ବିଲକୁ ମଞ୍ଜୁରୀ ଦିଆଯିବ ବୋଲି ମିଳିଛି ସୂଚନା । ସେଥିରେ ରହିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍, ଯାହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା । ଡାକଘର ବିଲ, ଆଡଭୋକେଟ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲକୁ ମଧ୍ୟ ମଞ୍ଜୁରୀ ମିଳିବ ବୋଲି ସୂଚନା ମିଳିଛି ।

ସର୍ବଦଳୀୟ ବୈଠକରେ ସାମିଲ ହେବା ଲାଗି ସମସ୍ତ ବିରୋଧୀ ଦଳକୁ ଅନୁରୋଧ କରାଯାଇଥିଲା । ସଂସଦର ସ୍ବତନ୍ତ୍ର ଅଧିବେଶନର କାରଣ ସ୍ପଷ୍ଟ କରିବା ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ । ସାଧାରଣତଃ ସଂସଦର ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସୁଥିବାବେଳେ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ଯକତା ପଡିଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଶେଷ ଥର ଲାଗି ଗତ ୨୦୧୭ ଜୁନ ୩୦ରେ ଏକ ସ୍ବତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି ।