ସର୍ବଦଳୀୟ ବୈଠକରେ କୋଟିଆ ପାଇଁ ଏକ ସ୍ୱର, ସରକାରଙ୍କୁ ବିରୋଧିଙ୍କ ପ୍ରଶଂସା

ଭୁବନେଶ୍ୱର: କୋଟିଆ ପାଇଁ ସମସ୍ତେ ଏକ ।  ମଙ୍ଗଳବାର ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଆଜି କୋରାପୁଟରେ ବସିଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଥିଲେ । କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖିଆ ଆଲୋଚନା କରିଥିବାରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ତିନି ଦଳର ନେତା ।

ଆଗାମୀ ଦିନରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ଆଲୋଚନାରେ କୋରାପୁଟ ଜିଲ୍ଲାର ସମସ୍ତ ତଥ୍ୟ ଭିତ୍ତିକ କାଗଜ ପତ୍ର ପ୍ରଦାନ କରାଯିବ । ଏଥି ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ମୁଖ୍ୟ ଶାସନ ସଚିବ ସ୍ତରୀୟ ଆଲୋଚନା ପୂର୍ବରୁ ସର୍ବଦଳୀୟ ବୈଠକର ଏକ ଟିମ୍ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ।

ବୈଠକରେ ଜୟପୁର ବିଧାୟକ ତାରା ବାହିନୀପତି , କୋରାପୁଟ ବିଧାୟକ ରଘୁରାମ ପଡାଲ , ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ବିଜେପି ନେତା ଜୟରାମ ପାଙ୍ଗିଙ୍କ ସହ ସାମାଜିକ ସଙ୍ଗଠନ ଓ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । କୋଟିଆ ପାଇଁ ସମସ୍ତ ଦଳ ଏକଜୁଟ ହୋଇଥିବାରୁ ସମସ୍ୟାର ସମାଧାନ ହେବା ନେଇ ଆଶା ସଞ୍ଚାର ହୋଇଛି ।

Leave a Reply