ବଜେଟ ଅଧିବେଶନ ସୁରୁଖୁରୁରେ ସାରିବାକୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

1 min read

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନକୁ ସରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ୧୨ ତାରିଖରେ ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି ସୁରମା ପାଢ଼ୀ । ଲମ୍ବା ସମୟର ବଜେଟ ଅଧିବେଶନ ପାଇଁ ଉଭୟ ବିଜେପି ଓ ବିଜେଡି ସେହି ଦିନ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ । ୭ ମାସର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇ ଘେରିବେ ବିରୋଧୀ । ଅନ୍ୟପଟେ ଶାସକ ବିଜେପି କହିଛି ବିରୋଧୀଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଦଳ ।

ଫେବୃଆରୀ ୧୩ ତାରିଖରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଲମ୍ବା ସମୟର ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଫେବୃଆରୀ ୧୨ ତାରିଖ ଦିନ ୧୧ଟାରେ ବାଚସ୍ପତି ସୁରୁମା ପାଢୀଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଶାସକ ଓ ବିରୋଧୀ ମତାମତ ଦେବା ସହ ଗୃହ ପରିଚାଳନାର ଦିଗ ସ୍ଥିର ହେବ । କାହାକୁ କେଉଁ କାର୍ଯ୍ୟସୂଚୀରେ କେତେ ସମୟ ମିଳିବ ତାହା ସ୍ଥିର କରାଯିବ ।

୨୮ଟି କାର୍ଯ୍ୟ ଦିବସ ଥିବା ବିଧାନସଭା ଅଧିବେଶନରେ ଶାସକ ବିଜେପିକୁ ଘେରିବାକୁ ୧୨ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ୭ ମାସର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ବିଫଳତାକୁ ଗୃହରେ ଉଠାଇ ପ୍ରଶ୍ନ କରିବ ବିଜେଡି l ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଓଡ଼ିଶାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ସରକାର ଫେଲ ମାରିବା, ନିର୍ବାଚନୀ ପ୍ରତିଶୃତି ପାଳନ ନକରିବା, ଧାନ ମଣ୍ଡିରେ କଟନି ଛଟନି ସହ ବଜେଟ ଅର୍ଥକୁ ସରକାର ଖର୍ଚ୍ଚ କରିନପାରିବାକୁ ନେଇ ଲୋକଙ୍କ ସ୍ବର ସାଜି ଗୃହରେ ଶାସକ ଦଳକୁ ଘେରିବ ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ବିଧାୟକମାନେ ଗୃହରେ ସ୍ବରକୁ ଶାଣିତ କରିବେ । ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେପି ସରକାରର ଲମ୍ବା ବିଫଳତାକୁ ଗୃହରେ ଉଠାଇବାକୁ ପ୍ରସ୍ତୁତ କରିଛି ଯୋଜନା ।

ଲମ୍ବା ସମୟର ବଜେଟ ଅଧିବେଶନ ପାଇଁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଚିନ୍ତାରେ ପଡ଼ିଛି ଶାସକ ଦଳ । ବିରୋଧୀଙ୍କ ପ୍ରଶ୍ନର କିପରି ଉତ୍ତର ଦିଆଯିବ । ସେଥିପାଇଁ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିଜେଟ ଅର୍ଥ ଖର୍ଚ୍ଚ ହୋଇ ପାରୁ ନଥିବା ବିଜେଡି ଅଭିଯୋଗ କରିବା ପରେ, ବିଜେପି କହିଛି ବିଭିନ୍ନ ଯୋଜନା ମାଧ୍ୟମରେ ଗାଁରେ ଅର୍ଥ ଖର୍ଚ୍ଚ କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି । ତେବେ ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉଠାଇବେ ତାହାକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।

୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବୃଆରୀ ୧୭ ତାରିଖରେ ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ହେବ । ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଶୃଙ୍ଖଳା ଚାର୍ଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବାରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ଆଭିମୁଖ୍ୟ କ’ଣ ରହୁଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।