ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ଧର୍ମଘଟ ନିଷ୍ପତ୍ତି

1 min read

ଭୁବନେଶ୍ୱର: ସ୍ଥଗିତ ରହିଲା ଘରୋଇ ବସ୍ ଧର୍ମଘଟ ନିଷ୍ପତ୍ତି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ କେବଳ ପଞ୍ଚାୟତରୁ ବ୍ଲକ ଯାଏଁ ଚାଲିବ ଲକ୍ଷ୍ମୀ ବସ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଲକ୍ଷ୍ମୀ ବସକୁ ଆସନ୍ତା 31 ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଲକ୍ଷ୍ମୀ ବସରେ ଘରୋଇ ବସକୁ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ସଂଘ ଅନୁରୋଧ କରିଛି । ଏନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଛି । ଆସନ୍ତା 13 ତାରିଖରେ ଲୋକସେବା ଭବନରେ ପୁଣି ବସିବ ବୈଠକ ।

ଏହି ବୈଠକରେ ସହର ଭିତରେ ମୋ ବସ୍ ଚଳାଚଳ ପ୍ରସଙ୍ଗ ଓ ସଂଘର ଅନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ଷ୍ଟିୟରିଂ କମିଟି ବୈଠକ ପୂର୍ବରୁ ଘରୋଇ ବସ୍‌ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ ଅଧ୍ୟକ୍ଷ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ ଚାଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେ ମଧ୍ୟରେ ପଂଚାୟତରୁ ବ୍ଲକକୁ ହଜାରେ ବସ ଚାଲିବ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ୬୦୦ ବସ ଚାଲିବ । ଘରୋଇ ବସଗୁଡିକୁ ଲକ୍ଷ୍ମୀ ଯୋଜନାରେ ସାମିଲ ପାଇଁ ଲକ୍ଷ୍ମୀ ଯୋଜନାର ଲୋଗ ଓ ରଙ୍ଗ ବ୍ୟବହାର କରିବାକୁ ସଂଘ ସହମତି ପ୍ରକାଶ କରିଛି ।