ସରିଲା ଡିଜିପି/ଆଇଜିପି ସମ୍ମିଳନୀ, ଦିଲ୍ଲୀ ଫେରୁଛନ୍ତି ପ୍ରଧାନମନ୍ତ୍ରୀ

1 min read

ଭୁବନେଶ୍ବର: ଡିଜିପି ସମ୍ମିଳନୀରେ ଦେଶର ସୁରକ୍ଷା ନେଇ ରୋଡମ୍ୟାପ୍ ପ୍ରସ୍ତୁତ । ଭୁବନେଶ୍ଵରରେ ଚାଲିଥିବା ୩ ଦିନିଆ ଡିଜିପି ଓ ଆଜିପି ସମ୍ମିଳନୀ ଶେଷ ହୋଇଛି । ଫୋକସରେ ଥିଲା ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ରୋକିବା । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଇଛି ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ ରୋଡମ୍ୟାପର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି । ସମ୍ମିଳନୀରେ ପ୍ରସ୍ତୁତ ହୋଇଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ ।

ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ କ’ଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ନକ୍ସଲ ମୁକାବିଲା ଓ ତଟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର କରିବା ସହ ତ୍ବରିତ୍ବ ନ୍ୟାୟ ପ୍ରଦାନ କରାଯିବା ନେଇ ପୋଲିସ ମୁଖିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।

ସେହିପରି ସୀମା ସୁରକ୍ଷାକୁ ନେଇ ହୋଇଛି ଆଲୋଚନା । ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ନିପାତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ୩ ଦିନ ଧରି ଚାଲିଥିବା ଏହି ବୈଠକରେ ମୋଟ ୧୫୦ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ ।

ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦ ଦିଲ୍ଲୀ ଫେରୁଛନ୍ତି । ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବେ ।