କାଲି ବଜେଟ: ନିର୍ମଳାଙ୍କ ମୁଣିରୁ ବାହାରିବ କ’ଣ ?

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ । ସପ୍ତମ ଥର ପାଇଁ ବଜେଟ ଆଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରଚିବାକୁ ଯାଉଛନ୍ତି ଇତିହାସ । ହେଲେ ଏଥର ତାଙ୍କ ପାଇଁ ରହିବ ବଡ଼ ଆହ୍ବାନ । ଭିତ୍ତିଭୂମି, ନିଯୁକ୍ତି, ଗ୍ରୀନ ଏନର୍ଜି ଆଦି କ୍ଷେତ୍ରକୁ ଗୁରୁତ୍ବ ଦେବା ସମ୍ଭାବନା ଥିବାବେଳେ ଦରଦାମ ନିୟନ୍ତ୍ରଣ ପାଇଁ ଅର୍ଥମନ୍ତ୍ରୀଙ୍କୁ କସରତ କରିବାକୁ ପଡ଼ିବ । ଭିନ୍ନ ଭିନ୍ନ ବର୍ଗର ବଜେଟରୁ ଭିନ୍ନ ଆଶା ରହିଥିବା ବେଳେ ଶିଳ୍ପ ଜଗତ ବି ଅନାଇ ବସିଛି ପୂର୍ଣ୍ଣାଙ୍ଗ ବଜେଟକୁ । ବିଶେଷ କରି ଅଧିକ ନିଯୁକ୍ତି ସୃଷ୍ଟି କରିବାର ଦକ୍ଷତା ରଖିଥିବା ଏମଏସଏମଇ ସେକ୍ଟରକୁ ଅଧିକ ପ୍ରୋତ୍ସାହନ ପାଇଁ ଆଶା ରଖିଛି ଲଘୁ ଉଦ୍ୟୋଗ ସଂଘ । ଏମଏସଏମଇର  ସରଳୀକରଣ ବ୍ୟବସ୍ଥା ସାଙ୍ଗକୁ ଜମି ଓ ବିଜୁଳିରେ ରିହାତି ବ୍ୟବସ୍ଥା ସପକ୍ଷରେ ମତ ରଖିଛନ୍ତି ବିଶେଷଜ୍ଞ ।

ନିର୍ମଳାଙ୍କ ବଜେଟ ମୁଣିରୁ ଏଥର ବାହାରିବ କ’ଣ ? ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପରେ ସମସ୍ତଙ୍କ ନଜର । ଏଥର ବଜେଟରେ କାହାକୁ ଖୁସି କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ? କେଉଁ କ୍ଷେତ୍ରକୁ ଦେବେ ଅଧିକ ପ୍ରାଥମିକତା ? ଏସବୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଶିଳ୍ପ ଜଗତର ବି ନଜର ରହିଛି ନିର୍ମଳାଙ୍କ ପେଡ଼ି ଉପରେ । ଚାଷୀ, ଯୁବକ, ମହିଳାଙ୍କ ପାଇଁ ଆସିପାରେ ଖୁସି ଖବର । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ବି ମିଳିପାରେ ଗୁରୁତ୍ବ । ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ଭିତ୍ତିଭୂମି, ଗ୍ରୀନ ଏନର୍ଜି ପାଇଁ ଅଧିକ ବ୍ୟୟବରାଦ ସମ୍ଭାବନା ରହିଛି । ହେଲେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଅନେକ ଭରସା ରହିଛି ବଜେଟ ଉପରେ । ଏମଏସଏମଇ କ୍ଷେତ୍ରକୁ ସହଜ ଋଣ ବ୍ୟବସ୍ଥା ସରକାର କହୁଥିଲେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ସହଯୋଗ କରୁନାହାନ୍ତି । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଋଣରେ ସରଳୀକରଣ ସହ ଜମି ଓ ବିଜୁଳି ପାଇଁ ପ୍ରୋତ୍ସାହନ ଦେଲେ ଏ କ୍ଷେତ୍ର ଆଗକୁ ଯାଇପାରିବ ବୋଲି ଲଘୁ ଉଦ୍ୟୋଗ ସଂଘ କହିଛି ।

ବୃହତ ଶିଳ୍ପ ତୁଳନାରେ ୧୫ ଗୁଣା ଅଧିକ ନିଯୁକ୍ତି ଦେବାର କ୍ଷମତା ରହିଛି ଏମଏସଏମଇ ଉଦ୍ୟୋଗ ପାଖରେ । ରାଜ୍ୟରେ ମେଗା ଫୁଡ଼ ପାର୍କ, ଆଲୁମିନିୟମ ପାର୍କ, ଟେକ୍ସଟାଇଲ ପାର୍କ, ପ୍ଲାଷ୍ଟିକ ପାର୍କ ମଧ୍ୟ ଗଢି ଉଠିଛି । ଏହାସହ ମେଟାଲ ସେକ୍ଟରରେ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଏହାସହ ଷ୍ଟାର୍ଟଅପ୍ କ୍ଷେତ୍ର ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଉଭା ହେଉଛି । ଏହି ସେକ୍ଟରକୁ ଉପରକୁ ଉଠାଇବାକୁ ହେଲେ ଆର୍ଥିକ ପ୍ରୋତ୍ସାହନ ସାଙ୍ଗକୁ ଶିଳ୍ପ ନୀତି ଅନୁସାରେ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ ।

ନିର୍ବାଚନୀ ପ୍ରତିଶୃତି ପୂରଣ ସାଙ୍ଗକୁ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ବଜେଟରେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ବ ଦେଉଛନ୍ତି ତା ଉପରେ ଦେଶବାସୀଙ୍କ ନଜର ରହିଛି ।