ବାବୁଙ୍କ କୁକୁର ବୁଲିବ ବୋଲି ଷ୍ଟାଡିୟମରୁ ତଡ଼ା ଖାଉଥିଲେ ଖେଳାଳି

1 min read

ନୂଆଦିଲ୍ଲୀ: ଖେଳାଳିଙ୍କ ଲାଗି ଦିଲ୍ଲୀର ସମସ୍ତ ଷ୍ଟାଡିୟମ ରାତି ୧୦ଟା ପର୍ଯ୍ୟନ୍ତ ଖୋଲାରହିବ । ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଜଣେ ଆଇଏଏସ ଅଫିସର ନିଜ କୁକୁର ସହ ବୁଲିବା ଲାଗି ଷ୍ଟାଡିୟମକୁ ଖାଲି କରିବା ଲାଗି ନିର୍ଦ୍ଦେଶ ଦେବା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ରାଜସ୍ୱ ସଚିବ ସଞ୍ଜୀବ ଖିରଓ୍ୱାର ତ୍ୟାଗରାଜ ଷ୍ଟାଡିୟମରେ ନିଜର କୁକୁର ସହ ବୁଲିବା ଲାଗି ଷ୍ଟାଡିୟମ ଖାଲି କରିଦେବାକୁ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଷ୍ଟାଡିୟମ ପ୍ରଶାସକ ଅନିଲ ଚୌଧୁରୀ । ସେ କହିଛନ୍ତି ସରକାରୀ ନିର୍ଦ୍ଧାରିତ ସମୟ ସୂଚୀକୁ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି- ଆଥଲେଟଙ୍କ ଲାଗି ରାତି ୭ଟା ପର୍ଯ୍ୟନ୍ତ ଚୂଡ଼ାନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । କାହାରିକୁ ଆଗୁଆ ବାହାରିଯିବା ଲାଗି ନିର୍ଦ୍ଦେଶ ଦିଆଯାଇନାହିଁ ।