ହିଜାବକୁ ବିରୋଧ: ଆଲିଗଡରୁ ମାଲେଗାଓଁ, ବୁର୍ଖା ପିନ୍ଧା ମହିଳାଙ୍କ ପ୍ରଦର୍ଶନ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡ୍ଡପୀରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଥିରେ ଧିରେ ଧିରେ ପୂରା ଦେଶରେ ବ୍ୟାପିବାରେ ଲାଗିଛି । ଉତ୍ତର ପ୍ରଦେଶର ଆଲିଗଡରୁ ମହାରାଷ୍ଟ୍ରର ମାଲେଗାଓଁ ପର୍ଯ୍ୟନ୍ତ ମହିଳା ହିଜାବ ସମର୍ଥନରେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ବୁର୍ଖା ପିନ୍ଧି ପ୍ରଦର୍ଶନରେ ସାମିଲ ହେବା ସହ ବ୍ୟାନର ପୋଷ୍ଟରରେ ହିଜାବକୁ ସମର୍ଥନ ଜଣାଇଛନ୍ତି । ଶୁକ୍ରବାର ୟୁପିର ଆଲିଗଡ଼ ମୁସଲିମ ମହିଳା ହିଜାବ ସମର୍ଥନରେ ପ୍ରଦର୍ଶନ କରିବା ସହ ‘ହିଜାବ ଆମର ଅଧିକାର, ଏହାକୁ ଓହ୍ଲାଇବୁନି’ ବୋଲି ନାରା ଦେଇଛନ୍ତି ।

ଏହା ପୂର୍ବରୁ ଗୁରୁବାର ମହାରାଷ୍ଟ୍ରର ମାଲେଗାଓଁରେ ହଜାର ହଜାର ସଂଖ୍ୟାରେ ମୁସଲିମ ମହିଳା ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ସେମାନେ ‘ହିଜାବ ଆମର ଅଧିକାର, ହିଜାବ ଉପରୁ ପ୍ରତିବନ୍ଧ ହଟାଅ’ ନାରା ଦେଇଥିଲେ । ଏହାସହ ଶୁକ୍ରବାର ମାଲିଗାଓଁରେ ହିଜାବ ଡେ’ ପାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ମାଲେଗାଓଁରେ ବିରୋଧ ପ୍ରଦର୍ଶନ ଜମିୟତ-ଉଲେମା-ଏ-ହିନ୍ଦ ନାମକ ସଙ୍ଗଠନ କରିଥିଲା । ପ୍ରଦର୍ଶନ ପରେ ପୋଲିସ ସଙ୍ଗଠନର ୪ ଜଣ ସଦସ୍ୟଙ୍କ ବିରୋଧରେ ଧାରା ୧୪୪ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି । ଏହି ମାମଲାରେ ଏଆଇଏମଆଇଏମର ସ୍ଥାନୀୟ ବିଧାୟକଙ୍କୁ ବି ନୋଟିସ୍ କରାଯାଇଛି । ପ୍ରଦର୍ଶନରେ ବିଧାୟକ ସାମିଲ ହେବା ଭାଷଣ ଦେବା ଅଭିଯୋଗ ହୋଇଛି ।

ଜମ୍ମୁ-କାଶ୍ମୀରରେ ହିଜାବକୁ ବିରୋଧ

ଜମ୍ମୁ ଓ କାଶ୍ମୀରରେ ମଧ୍ୟ ହିଜାବ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଜମ୍ମୁର ଆରଏଫଏ-ଡୋଗରା ଫ୍ରଣ୍ଟ କାର୍ଯ୍ୟାଳୟ କର୍ମଚାରୀ ହିଜାବ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଶିକ୍ଷାନୁଷ୍ଠାନ ରାଜେନୖତିକ ଯୁଦ୍ଧକ୍ଷେତ୍ର ହେବା ଉଚିତ ନୁହେଁ ବୋଲି ଏମାନେ କହିଛନ୍ତି । ସ୍କୁଲରେ ହିଜାବ କି ଗେରୁଆ ପୋଷାକକୁ ଅନୁମତି ନଦେବାକୁ ଏମାନେ ଦାବି କରିଛନ୍ତି ।

ତ୍ବରିତ ବିଚାର ପାଇଁ ମନା କଲେ ସୁପ୍ରିମକୋର୍ଟ

୨୦୨୨ ଜାନୁଆରୀ ୧ ତାରିଖରେ କର୍ଣ୍ଣାଟକର ଉଡ୍ଡପୀ ଜିଲ୍ଲାର ମହିଳା ପ୍ରି-ୟୁନିଭର୍ସିଟି କଲେଜରୁ ଏହି ବିବାଦ ଆରମ୍ଭ ହୋଇଛି । ଏଠାରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି ଆସିବାକୁ ମନା କରାଯାଇଥିଲା । ଯାହାର ବିରୋଧ ମୁସଲିମ ଛାତ୍ରୀ କରିଥିଲେ । ଯାହା ଧିରେ ଧିରେ ରାଜ୍ୟର ଅନ୍ୟ ସ୍ଥାନକୁ ବ୍ୟାପିଥିଲା ଓ ଅନ୍ୟ କଲେଜରେ ବି ମୁସଲିମ ଛାତ୍ରୀ ହିଜାବ ପିନ୍ଧି ଆସିବା ଆରମ୍ଭ କରିଥିଲେ ।

ଏବେ କର୍ଣ୍ଣାଟକ ହାଇକୋର୍ଟରେ ମାମଲାର ବିଚାର ଚାଲିଛି । ରାୟ ନଆସିବା ପର୍ଯ୍ୟନ୍ତ ଧାର୍ମିକ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ମଧ୍ୟ ଏହାକୁ ନେଇ କିଛି ସଂଗଠନ ମାମଲା ଆବେଦନ କରି ତ୍ବରିତ ବିଚାର କରିବାକୁ ନିବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ମାମଲାର ତ୍ବରିତ ବିଚାର କରିବାକୁ ମନା କରିଦେଇଛନ୍ତି ।

Leave a Reply