ବିବାହର ୩ ମାସ ପରେ ଖୁସି ଖବର ଦେଲେ ଆଲିଆ

ମୁମ୍ବାଇ: ବିବାହର ୩ ମାସ ପରେ ପୁଣି ଖୁସି ଖବର ଦେଲେ ଆଲିଆ  । ସୋସିଆଲ ମିଡିଆରେ ଖୁସି ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ । ଅଲଟ୍ରାସାଉଣ୍ଡର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆ ସେୟାର କରିଛନ୍ତି  । ଫଟୋ ସେୟାର କରି ଆଲିଆ ଲେଖିଛନ୍ତି ‘ଆମ ବେବି..ଆସୁଛି’ ।

ଏବେ ଆପଣ ଅନୁମାନ କରିପାରୁଥିବେ ଆଲିଆ ନିଜ ଫ୍ୟାନ୍ସଙ୍କୁ କେଉଁ ଖୁସି ଖବର ଦେଇଛନ୍ତି । ଫଟୋରେ ତାଙ୍କ ନିକଟରେ ସ୍ବାମୀ ରଣବୀର କପୁର ପଛ କରି ବସିଥିବାବେଳେ ସୋନୋଗ୍ରାଫିର ଚିତ୍ର ଦେଖିବାକୁ ମିଳିଛି  । କେବଳ ଏତିକି ନୁହେଁ ଆଲିଆ ଏକ ସିଂହ ପରିବାରର ଫଟୋ ମଧ୍ୟ ସେୟାର କରିଛନ୍ତି  । ଫଟୋରେ ଏକ ସିଂହ ସହ ସିଂହୀ ଓ ଛୁଆ ସିଂହ ବସିଛନ୍ତି  । ଆଫ୍ରିକାରେ ନୂଆବର୍ଷ ପାଳିବାକୁ ଯାଇଥିବା ବେଳେ ସିଂହ ସଫାରୀ ବୁଲି ଫଟୋ ଉଠାଇଥିଲେ ଏହି ଲଭବାର୍ଡସ ।

ଆଗାମୀ ଫିଲ୍ମ ଶମଶେରାର ପ୍ରମୋସନ ସମୟରେ ରଣବୀର କୁନି ଅତିଥିଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ‘ଏବେ ମୋତେ ବହୁତ କାମ କରିବାର ଅଛି  । ପରିବାର ଗଢିବାର ଅଛି ।ତାଙ୍କ ପାଇଁ କାମ କରିବାର ଅଛି ।ପୂର୍ବରୁ ମୁଁ ନିଜ ପାଇଁ କାମ କରୁଥିଲି । ଏବେ ମୁଁ ମୋ ପରିବାର ପାଇଁ କାମ କରିବି’ । ଏପରିକି ତାଙ୍କର ଏକ ଲୋକପ୍ରିୟ ଡାଇଲଗର ଉଦାହରଣ ଦେଇ ସେ କହିଥିଲେ ‘ବିବାହ ଭାତଡାଲି ପରି  । ଆଉ ଆଲିଆ ସେହି ଡାଲିର ତଡକା ତ ପୁଣି କେବେ ଡାଲି ସହ ଆଚାର ତ ପୁଣି ଭାତ ଡାଲି ସହ ପିଆଜ ସଦୃଶ । ସେ ମୋ ପାଇଁ ସବୁକିଛି  । ତାଙ୍କଠାରୁ ଭଲ ଅପସନ ମୋତେ ଜୀବନରେ ମିଳିବ ନାହିଁ’  ।

ଗତ ଏପ୍ରିଲ ୧୪ରେ ପରିବାର ଓ କିଛି ବନ୍ଧୁଙ୍କ ଗହଣରେ ବାନ୍ଦ୍ରାସ୍ଥିତ ଘରେ ବିବାହ କରିଥିଲେ ରଣବୀର ଆଲିଆ  ।