ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି, ୧୮ ଯାଏ କାଳବୈଶାଖୀ ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ତାତିରୁ ରାଜ୍ୟକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ସକ୍ରିୟ ଥିବାରୁ ପାରା କମିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଉପରେ ରହିଲେ ମଧ୍ୟ ତାହା ସ୍ବାଭାବିକ । ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇପାରେ ।

୨୪ ଘଣ୍ଟା ଭିତରେ କାଳବୈଶାଖୀ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ, କୋରାପୁଟ ଆଦି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ପାଇଁ ୧୫ ଜିଲ୍ଲା, ୧୭ ତାରିଖରେ ୧୮ ଜିଲ୍ଲା ଓ ୧୮ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ବେଳେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି  ।

ସେପଟେ ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ଦେଶ ପାଲଟିଛି ଭାରତ । ଓ୍ବାର୍ଲଡ ଟେମ୍ପରେଚର ଆଣ୍ଡ ରେନଫଲ୍ ଏକ୍ସଟ୍ରିମ୍ସ ପକ୍ଷରୁ ଜାରି ତାଲିକାରେ ପ୍ରଥମରେ ରହିଛି ପାକିସ୍ତାନ । ଭାରତର ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିଦର୍ଭରେ ତାତି ରେକର୍ଡ କରିଛି ।