ପଶ୍ଚିମ ବଙ୍ଗରେ ନିପା । ଓଡ଼ିଶା ପାଇଁ ସତର୍କ ଘଣ୍ଟି । ଖାସ କରି ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମିତ ବାଦୁଡ଼ିଙ୍କଠାରୁ ଏହି ଭୂତାଣୁ ମଣିଷର ଶରୀରକୁ ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ। ଏଥି ପାଇଁ ସଚେତନ ଓ ସତର୍କତା ହିଁ ଜରୁରୀ । ବାହାରୁ ଫେରୁଥିବା ଲୋକେ ଯଦି ଦୀର୍ଘଦିନ ଧରି ଥଣ୍ଡା, ଜ୍ୱର, ମୁଣ୍ଡ ବିନ୍ଧା ଆଦି ରୋଗରେ ପୀଡ଼ିତ ରହିବେ, ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ହେଲେ ଏଯାଏଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରିନି ।
୨୦୨୩ ମସିହାରେ ଯେଉଁ ମାର୍ଗଦର୍ଶିକା ଆସିଥିଲା, ସେହି ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କୁହାଯାଇଛି । କେନ୍ଦ୍ର ମାର୍ଗଦର୍ଶିକା ଜାରି କରିନଥିବାରୁ ନିପାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇନି । ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ସଂକ୍ରମିତର କୌଣସି ମାମଲା ଦେଖାଯାଇନି । ହେଲେ କେନ୍ଦ୍ର ସହ ନିୟମିତ ଯୋଗାଯୋଗରେ ଅଛି ଓଡ଼ିଶା । ତଥାପି ସଚେତନ ରହିବାକୁ ପଡ଼ିବ । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଘରୋଇ ହସ୍ପିଟାଲରେ ଗତକାଲି ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି। ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ ଏହା ଭୟ ବଢ଼ାଇଛି ।
ସ୍ବାସ୍ଥ୍ୟ କର୍ମୀମାନେ ରୋଗ ନେଇ ସଚେତନ ଥିବାରୁ ଟେଷ୍ଟିଂ କରିଥିଲେ । ହେଲେ ସବୁ ଲୋକ ସଚେତନ ନୁହନ୍ତି । ଏଯାଏ ଏହି ଦୁଇ ନର୍ସଙ୍କ ରୋଗର ଉତ୍ସ ଜଣାପଡ଼ିନି । ଯେଉଁଥିପାଇଁ ଖୋଲା ଆକାଶ ତଳେ ଅନେକ ରୋଗୀ ବୁଲୁଥିବାର ସନ୍ଦେହ କରାଯାଉଛି । ନିପା ଭାଇରସ ସିଧା ମସ୍ତିସ୍କକୁ ଆକ୍ରମଣ କରେ । ଯେଉଁଥି ପାଇଁ ବ୍ରେନ ଫିଭର ହୋଇଥାଏ । ଏଥିରେ ମୃତ୍ୟୁର ବି ଅଧିକ ସମ୍ଭାବନା ରହିଛି । ହେଲେ ଏଯାଏଁ ନିପାର କୌଣସି ଟିକା ବାହାରି ନଥିବାରୁ ଚିନ୍ତା ଆହୁରି ବଢି ଯାଇଛି ।
୧୯୯୮-୯୯ ମସିହାରେ ମାଲେସିଆ ଓ ସିଙ୍ଗାପୁରରେ ନିପା ବ୍ୟାପିଥିଲା । ୨୦୦୧ରେ ବାଂଲାଦେଶ, ପଶ୍ଚିମବଙ୍ଗର ସିଲିଗୁଡି, ୨୦୦୭ରେ ପଶ୍ଚିମବଙ୍ଗର ନଦିଆ, ୨୦୧୮- ୨୦୨୫ରେ କେରଳ ଓ ୨୦୧୪ରେ ଫିଲିପାଇନ୍ସରେ ନିପା ଚିହ୍ନଟ ହୋଇଥିଲା । ୨୦୨୩ ମସିହାରେ କେରଳରେ କାୟା ବିସ୍ତାର କରିଥିଲା ନିପା । ତେବେ ବାରମ୍ବାର ପଶ୍ଚିମ ବଙ୍ଗରେ ନିପା ଚିହ୍ନଟ ହେଉଥିବାରୁ ପଡ଼ୋଶୀ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ପରି ରାଜ୍ୟ ପାଇଁ ବି ବିପଦ ରହିଛି ।

