spot_img

Latest Posts

ଶୀତର ଆଗମନ ସହ କୋରାପୁଟରେ ଅଳସୀ ଫୁଲର ସମ୍ଭାର

ଜୟପୁର : ଫେରିଛି ବର୍ଷା, ଆସିଛି ଶୀତ । ସକାଳରେ କୁହୁଡ଼ିର ପତଳା ଚାଦରରେ ଘୋଡାଇ ହୋଇ ରହିଛି ପ୍ରକୃତି । ଆଉ କୋରାପୁଟର ସବୁଜିମା ପରିପୂର୍ଣ୍ଣ ଏହି ଶୋଭାକୁ ଆହୁରି ଦ୍ବିଗୁଣିତ କରିଛି ଅଳସୀ ଫୁଲ । ଜଙ୍ଗର ପାହାଡ଼ ଘେରା ଅଙ୍କାବଙ୍କା ରାସ୍ତାରେ ଦୁଇ କଡ଼ରେ ବିଛାଇ ଦେଇଛି ହଳଦୀ ରଙ୍ଗ । ସୂର୍ଯ୍ୟଙ୍କ ପହିଲି କିରଣ ସାଙ୍ଗକୁ କାକର ବୁନ୍ଦା ପଡ଼ି ଶୋଭାକୁ ଅଧିକ ଆକର୍ଷଣୀୟ କରୁଛି । କୋରାପୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ବର୍ଷସାରା ଏଠାକୁ ପର୍ଯ୍ୟଟକକୁ ଆକୃଷ୍ଟ କରିଥାଏ । କିନ୍ତୁ ଶୀତ ଦିନ ଆସିଲେ କୋରାପୁଟ ହୋଇଥାଏ ଅଧିକ ସୌନ୍ଦର୍ଯ୍ୟମୟ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ କିଛି ଲେଖିବାକୁ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ । ଅଳସୀ ଫୁଲର ସମ୍ଭାର କବି ଓ ପର୍ଯ୍ଯଟକଙ୍କୁ ମତୁଆଲା କରେ ।

ଅଳସୀ ଚାଷକୁ ବେଶ ଗୁରୁତ୍ୱ ଦିଅନ୍ତି କୋରାପୁଟ ଜିଲ୍ଲାର ଚାଷୀ । ଏହି ଚାଷ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସର ମଧ୍ୟ ଆଡ଼କୁଅମଳ ହୋଇଥାଏ । ଏଥିରୁ ତେଲବାହାରୁଥିବାରୁ  ଭଲ ମୂଲ୍ୟରେ ବିକ୍ରି ହୋଇଥାଏ । ତେଣୁ ପାହାଡ଼ି ଅଞ୍ଚଳରେ ଏହାକୁ ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିଥାନ୍ତି । ଶୀତ ଋତୁରେ କୋରାପୁଟ ଜିଲ୍ଲାକୁ ଦେଶ ବିଦେଶର ପର୍ଯ୍ୟଟକ ଆସୁଥିବା ବେଳେ ରାସ୍ତା କଡରେ ଥିବା ଅଳସୀ ଫୁଲକୁ ଦେଖି ବିଭୋର ହୋଇ କିଏ ତୋ ସେଲ୍ଫି ଉଠାଇ ବାରେ ବ୍ୟସ୍ତ କିଏ ଏହାର ସୌନ୍ଦର୍ଯ୍ଯକୁ ନିଜର କ୍ଯାମେରାରେ କଏଦ କରି ରଖନ୍ତି ।

Latest Posts

Don't Miss