ସ୍ନାନଯାତ୍ରା ପରେ ବ୍ରହ୍ମଗିରିରେ ଲାଗିବ ଭିଡ଼, ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
1 min read
ପୁରୀ : ୧୧ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୨ରୁ ଆରମ୍ଭ ହେବ ଅନବସର ନୀତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଚାଲିବ ଗୁପ୍ତସେବା । ୧୨ରୁ ୨୫ ତାରିଖ ଯାଏଁ ବ୍ରହ୍ମଗିରି ଅଲାରନାଥ ପୀଠରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ସେଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଲାରନାଥ ପୀଠରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ଯବସ୍ଥା, ସୁରକ୍ଷା ଓ ନୀତିକାନ୍ତି ନେଇ ପୁରୀରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ବୈଠକ । ପୁରୀ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏହି ବୈଠକରେ ପାନୀୟଜଳ ଯୋଗାଣ, ରାସ୍ତାଘାଟ ମରାମତି, ନିରବଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହ ବ୍ୟାରିଗେଡ ନିର୍ମାଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୃଙ୍ଖଳିତ ନୀତିକାନ୍ତି ସହ ଭକ୍ତ କିପରି ସୁବିଧାରେ କ୍ଷୀରି ଭୋଗ ପାଇବେ ସେଥିପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।
ପୁରୀରୁ ବ୍ରହ୍ମଗିରିକୁ ଗମନଗମନ ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ଲାନ୍ । ୩ଟି ପଏଣ୍ଟରେ ରହିବ ଟ୍ରାଫିକ କଟକଣା । ମନ୍ଦିର ଭିତରେ ଓ ବାହାରେ ବ୍ୟପକ ପୋଲିସ ଫୋର୍ସ ମୁତୟନ ହେବେ । ଭିଡ଼ ଉପରେ ରହିବ ପୋଲିସର ସ୍ବତନ୍ତ୍ର ନଜର । ସେପଟେ ନୀତିକାନ୍ତି ସୂଚାରରୂପେ କରିବାକୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ । ବିଶ୍ୱାସ ରହିଛି ଅଣସର ସମୟରେ ଅଳରାନାଥଙ୍କୁ ଦର୍ଶନ କରି କ୍ଷୀରି ପ୍ରସାଦ ସେବନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ l