ଦାଗୀ ନେତାଙ୍କ ପାଇଁ ସତର୍କ ଘଣ୍ଟି, ଆଉ ଖସିପାରିବେନି ! ମାମଲାର ବିଚାର ପାଇଁ ହେବ ସ୍ୱତନ୍ତ୍ର କୋର୍ଟ

Politcs

ଭୁବନେଶ୍ୱର: ଦାଗୀ ନେତାଙ୍କ ପାଇଁ ସତର୍କ ଘଣ୍ଟି । କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଓ ଆଇନର ଗଳାବାଟ ଦେଇ ଖସିଯିବାକୁ ଚେଷ୍ଟା କରୁଥିଲେ ଆଉ ତାହା ହୋଇପାରିବନି । ନେତାଙ୍କ ବିରୋଧରେ ଥିବା ମକଦ୍ଦମାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ଭିତ୍ତିଭୂମି ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚ ଜୋର ଧରିଛି ।

ନେତାଙ୍କ ନାଁରେ ଥିବା ଅପରାଧିକ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ ସୁପ୍ରିମକୋର୍ଟ କହିବା ଓ ହାଇକୋର୍ଟ ଜଣାଇବା ପରେ ଭିତ୍ତିଭୂମି ଏବଂ ପ୍ରସ୍ତୁତି ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ରାଜନୈତିକ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ରାଜନେତାଙ୍କୁ ଲୋକ ଆଦର୍ଶ ବୋଲି ଭାବୁଥିବା ବେଳେ ସେମାନେ ଅପରାଧରୁ ଦୂରେଇ ରହିବା ଆବଶ୍ୟକ । ଏପରିକି ରାଜନେତାଙ୍କ ବିରୋଧରେ ବିଭିନ୍ନ ସମୟରେ ମିଛ ମାମଲା ମଧ୍ୟ ରୁଜୁ ହେଉଥିବାରୁ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ତ୍ୱରିତ ବିଚାର ହେଲେ ସତ ପଦାକୁ ଆସିଯିବ ବୋଲି ବିରୋଧୀ କହିଛନ୍ତି ।

ଶାସକ ଦଳ ବିଜେଡି ମଧ୍ୟ ଏହାକୁ ସ୍ୱାଗତ କରିଛି । ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ୱଚ୍ଛତା ଏବଂ ଦୁର୍ନୀତିମୁକ୍ତ ଶାସନକୁ ଗୁରୁତ୍ୱ ଦେଇଆସିଛନ୍ତି । ଏପରିକି ରାଜନୀତିରେ ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଶ୍ରୟ ଦିଆଯାଇ ନାହିଁ । ତେଣୁ ଆବଶ୍ୟକ ଭିତ୍ତିଭୂମି ସହ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟ କିଭଳି ସଠିକ୍‌ ଭାବେ ଆରମ୍ଭ ହେବ ସେ ନେଇ ସରକାର ପଦକ୍ଷେପ ନେଉଥିବା ବିଜେଡି କହିଛି ।

Leave a Reply