ଅଳକା ମହାନ୍ତି ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ବିଜେଡି ପ୍ରାର୍ଥୀଙ୍କ ନାଁ । ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୧ ତାରିଖରେ ଅଳକା ମହାନ୍ତି ନାମାଙ୍କନପତ୍ର ଦାଖଲ କରିପାରନ୍ତି ।

ଆଜି ପ୍ରାର୍ଥୀ ଘୋଷଣା ହେବାକୁ ଥିବା ବେଳେ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଥିଲେ । କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ଅଳକା କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେଇଛନ୍ତି ।

ଅଳକାଙ୍କ ନାଁ ଘୋଷଣା ପରେ ନବୀନ ନିବାସରେ ବିଜେଡି ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଧୀରେ ଧୀରେ ଭିଡ ବଢିବାରେ ଲାଗିଛି । କିଶୋର ମହାନ୍ତି ଅମର ରହେ ଧ୍ବନୀରେ କମ୍ପିଥିଲା ପୂରା ଅଞ୍ଚଳ । ଏହାସହ କର୍ମୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀ ପକାଇ ଖୁସି ମନାଇଥିଲେ ।

ବିଜେପିରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା ଚୂଡାନ୍ତ କରିନାହିଁ ।