spot_img

Latest Posts

୨୨ ବର୍ଷ ପରେ ଆମେରିକା ନେଲା ପ୍ରତିଶୋଧ, ଇରାନରେ ଅଲକଏଦା ନମ୍ବର ଦୁଇ ନିହତ

ୱାସିଂଟନ: ଆମେରିକା ତା’ର ଶତ୍ରୁଙ୍କୁ ଭୁଲେନା । ଆମେରିକା ସେମାନଙ୍କୁ ଖୋଜି ବାହାର କରେ । ଏହି ଦାବିକୁ ଆମେରିକା ପୁଣିଥରେ ସତ ସାବ୍ୟସ୍ତ କରିଛି । ଇରାନରେ ଲୁଚିଥିବା ଅଲକଏଦାର ନମ୍ବର ଦୁଇ ଆତଙ୍କବାଦୀଙ୍କୁ ଇରାନରେ ଆମେରିକା ହତ୍ୟା କରିଛି । ଅଗଷ୍ଟ ମାସରେ ଏହି ଘଟଣା ଘଟିଥିଲେ ମଧ୍ୟ ଏବେ ସାମ୍ନାକୁ ଆସିଛି । ତେବେ ଓସମା ବିନ୍ ଲାଡେନ ପରେ ଅଲକଏଦାର ଦୁଇ ନମ୍ବର ଆତଙ୍କବାଦୀକୁ ଆମେରିକା ଏଜେଣ୍ଟ୍ ହତ୍ୟା କରି ନାହାନ୍ତି । ଆମେରିକା ପାଇଁ ଏହି କାମ କରିଥିଲା ଇସ୍ରାଏଲ । ଇସ୍ରାଏଲି ଗୁଇନ୍ଦା ଏଜେନ୍ସୀ ମୋସାଦର ଏଜେଣ୍ଟ ଅଗଷ୍ଟ ମାସରେ ବିଚ୍ ରାସ୍ତାରେ ଏହି ଆତଙ୍କବାଦୀକୁ ହତ୍ୟା କରିଥିଲେ । ସେହି ଆକ୍ରମଣରେ ଲାଡେନର ବୋହୂ ମଧ୍ୟ ପ୍ରାଣ ହରାଇଥିଲା ।

କେଉଁ କାଣ୍ଡର ପ୍ରତିଶୋଧ ନେଲା ଆମେରିକା ?

୧୯୯୮ରେ କେନିଆ ଓ ତାଞ୍ଜାନିଆର ଆମେରିକା ଦୂତାବାସ ଉପରେ ଲାଡେନ ଆଦେଶରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୨୪ ଜଣ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପଛରେ ୫୮ ବର୍ଷୀୟ ଅବୁ ମହମ୍ମଦ ମସତ୍ରିର ହାତ ଥିଲା । ଆମେରିକା ଅବୁକୁ ଗଲା ୨୨ ବର୍ଷ ଧରି ଜୀବିତ କିମ୍ବା ମୃତ ଖୋଜୁଥିଲା । ଅବୁକୁ ଧରାଇ ଦେଲେ ଦେଢ କୋଟି ଡଲାର ପୁରସ୍କାର ଦିଆଯିବ ବୋଲି ଏଫବିଆଇ ଘୋଷଣା କରିଥିଲା । ଏବେ ମିଳୁଥିବ ଖବର ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୭ ତାରିଖ ଦିନ ତେହେରାନ ରାସ୍ତାରେ ହତ୍ୟା କରାଯାଇଥିଲା । ସେଦିନ ରାତିରେ ଆବୁ ନିଜ ଝିଅ (ଲାଡେନ ପୁଅ ହାମଜାକୁ ବିବାହ କରିଥିଲା) ସହ କାରରେ ଯାଉଥିବା ବେଳେ ମୋସାଦର ଦୁଇ ଜଣ ଏଜେଣ୍ଟ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସାଇଲେନ୍ସର ଲଗାଯାଇଥିବା ବନ୍ଧୁକରୁ ଗୁଳି ମରାଯାଇଥିଲା ।

ଆମେରିକାଠାରୁ ଇରାନ ସମସ୍ତେ ଚୁପ

ଅଗଷ୍ଟ ମାସରେ ଏହି ହତ୍ୟା ହୋଇଥିଲେ ମଧ୍ୟ ଏଯାଏଁ ନା ଆମେରିକା ନା ଇରାନ ନା ଇସ୍ରାଏଲ କେହି ମଧ୍ୟ ଏନେଇ କିଛି କହିନାହାନ୍ତି । ଅଗଷ୍ଟ ମାସରେ ଇରାନ ଖବର କାଗଜରେ ଏହି ହତ୍ୟା ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ସେଥିରେ ମୃତ ବ୍ୟକ୍ତିଙ୍କ ନାମ ହବିବ ଦାଉଦ ଓ ମହିଳାଙ୍କ ନାମ ମରିୟମ ବୋଲି ଉଲ୍ଲେଖ ଥିଲା । ହବିବ୍ ଲେବନାନର ଇତିହାସ ଅଧ୍ୟାପକ ବୋଲି ଇରାନ କହିଥିଲା । ମୋସାଦ ଏଜେଣ୍ଟ୍ ଯେଉଁ ଢଙ୍ଗରେ ଏହି ଅପରେସନକୁ ପୁରା କରିଥିଲେ ତାହା ଇରାନୀ ସୁରକ୍ଷା ଏଜେନ୍ସୀଙ୍କ ଇମେଜ ପାଇଁ କ୍ଷତିକାରକ ହେବ ଏହି ଭୟରେ ଇରାନ ଖବରକୁ ଚାପି ଦେଇଥିବା ନ୍ୟୁୟର୍କ ଟାଇମ୍ସ ଦାବି କରୁଛି ।

ଉଲ୍ଲେଖନୀୟ ଯେ, ଆତଙ୍କବାଦୀଙ୍କ ସହ କେବେ ମଧ୍ୟ କୌଣସି ପ୍ରକାର ଆଲୋଚନା କରୁନଥିବା ଇସ୍ରାଏଲ ୧୯୭୨ ମସିହା ମ୍ୟୁନିକ୍ ଅଲମ୍ପିକ୍ସରେ ନିଜ ଖେଳାଳୀ ହତ୍ୟାର ପ୍ରତିଶୋଧ ନେବାକୁ ୨୦ ବର୍ଷ ଧରି ରାଥ ଅଫ୍ ଗଡ୍ ବା ଭଗବାନଙ୍କ କୋପ ନାମକ ଅପରେଶନ ଚଳାଇଥିଲା । ଯେଉଁଥିରେ ହତ୍ୟାକାଣ୍ଡରେ ସାମିଲ ଥିବା ୮ ଜଣ ଆତଙ୍କବାଦୀଙ୍କୁ ମୋସାଦ୍ ଏଜେଣ୍ଟ୍ ହତ୍ୟା କରିଥିଲେ ।

Latest Posts

Don't Miss