ଜୟନ୍ତୀରେ ମନେ ପଡିଲେ ଅକ୍ଷୟ, ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ଉଦାହରଣ

କଟକ: ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି । କୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ସେହି ଓଡ଼ିଆ ସଂଗୀତ ବେତାଜ ବାଦଶାହାଙ୍କର ଆଜି ଜନ୍ମ ଜୟନ୍ତୀ । ୧୯୩୬ ମସିହା ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ । ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ ।

ପବିତ୍ର ମହାଳୟାରେ କଟକ ଜିଲ୍ଲା ବାଙ୍କୀ ମୁଣ୍ଡେଇରେ ମହାନଦୀ ତୀରେ ଜନ୍ମ ହୋଇଥିଲେ ସଂଗୀତ ସାମ୍ରାଜ୍ୟର ଅଜାତ ଶତ୍ରୁ । ସଂଗୀତ ଶିକ୍ଷା ନେଇନଥିଲେ ସତ ହେଲେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ । ସଂଗୀତଠୁ ଅଭିନୟ ଆଉ ସାହିତ୍ୟ । ସବୁଥିରେ ଅକ୍ଷୟ ଥିଲେ ପାରଙ୍ଗମ । ସେ ଲେଖିଥିଲେ ୭ ଖଣ୍ଡ ଉପନ୍ୟାସ, ଗଳ୍ପ ସଂକଳନ ଓ ଗୀତିକଥା ଏବଂ ଗୋଟିଏ ଭ୍ରମଣ କାହାଣୀ । ଆର୍ଯ୍ୟ ଦାସର ଶେଷଲିପିରେ ସେ ଲେଖିଛନ୍ତି ତାଙ୍କ ଜୀବନ କାହାଣୀ ।

୧୯୫୬ରେ ଆକାଶବାଣୀ କଟକର ସ୍ବିକୃତୀପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ । ‘ମା’ ଚଳଚ୍ଚିତ୍ରର ‘ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। ‘ମଲାଜହ୍ନ’ ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁଦୀର୍ଘ କ୍ୟାରିୟରରେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି । ଏହା ସହିତ ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି। ତିନିଟି ଚଳଚ୍ଚିତ୍ରରେ ଅଭିନୟ ସହିତ ଗୋଟିଏ ସିନେମାରେ ଯୁଗ୍ମ ନିର୍ଦେଶକ ରହିଛନ୍ତି ।