ଅକ୍ଷୟ କୁମାର ଜାଣିଥିଲେ ଫ୍ଲପ୍ ହେବ ‘ସମ୍ରାଟ ପୃଥ୍ବୀରାଜ’, ଏମିତି କରିଥିଲେ ଫ୍ୟୁଚର୍ ପ୍ଲାନ

ମୁମ୍ବାଇ: ମାତ୍ର ୧୧ ଦିନରେ ସିନେମା ହଲରୁ ପୁଟୁଳି ବାନ୍ଧି ପଳାଇଲା ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ । ୩୦୦ କୋଟି ଟଙ୍କାର ଫିଲ୍ମ ବକ୍ସ ଅଫିସରେ ମାତ୍ର ୬୨.୩୦ କୋଟିରେ ସୀମିତ ହୋଇଗଲା । ଫିଲ୍ମ ଏମିତି ବିଜନେସ କରିବ କେହି କେବେ ଚିନ୍ତା କରି ନଥିଲେ । ହେଲେ ଖିଲାଲୀ ବୟ ଅକ୍ଷୟ ଆଗରୁ ଜାଣିଥିଲେ ବକ୍ସ ଅଫିସରେ ଅତି ଦୟନୀୟ ଅବସ୍ଥା ହେବ ଫିଲ୍ମର । ସେଥିପାଇଁ ସେ ଆଗରୁ ତାଙ୍କ ଫ୍ୟୁଚର ପ୍ଲାନ କରି ନେଇଥିଲେ । ଫିଲ୍ମ ଫ୍ଲପ୍ ହେବା ପରେ ସେ କ’ଣ କରିବେ ? ପୁଣି ପ୍ରଶଂସକଙ୍କୁ ଖୁସି କରିବାକୁ କେଉଁ ପ୍ରକାର ଫିଲ୍ମରେ ଆସିବେ ସେ ନେଇ ଅକ୍ଷୟ ସବୁ ପ୍ଲାନ୍ କରି ରଖିଛନ୍ତି । ଯାହାର ଖୁଲାସା ଫିଲ୍ମର ନିର୍ଦ୍ଦେଶକ ଡକ୍ତର ଚନ୍ଦ୍ରପ୍ରକାଶ ଦ୍ବିବେଦୀ କରିଛନ୍ତି । ନିଜେ ଅକ୍ଷୟ ଏ ସମ୍ପର୍କରେ ତାଙ୍କ ସହ କଥା ହୋଇଥିବା ଚନ୍ଦ୍ର ପ୍ରକାଶ ଏକ ସାକ୍ଷାତକାରରେ କହିଛନ୍ତି ।

ସେ କହିଛନ୍ତି, ‘ଦିନେ ଅକ୍ଷୟ କହିଥିଲେ ଯଦି ଫିଲ୍ମଟି ଫ୍ଲପ୍ ହେଲା ତେବେ ରାଓ୍ବଡି ରାଠୋର ଓ ହାଉସ ଫୁଲ୍ ଭଳି ଫିଲ୍ମ କରିବେ ।’ ଏହାସହ ସେ କହିଥିଲେ, ‘ଯେତେବେଳେ ଏକ ଫିଲ୍ମ ଫ୍ଲପ୍ ହୋଇଯାଏ, ନିର୍ଦ୍ଦେଶକ ଭାବେ କହିବି ମନ ଭାଙ୍ଗି ଯାଇଥାଏ । ୟଶରାଜ ବ୍ୟାନରେ ଏହା ପ୍ରଥମ ଐତିହାସିକ ଫିଲ୍ମ ଥିଲା । ଯଦି ଏହା ସଫଳ ହେବ ତେବେ ଏହି ବ୍ୟାନରେ ଆହୁରି ଅଧିକରୁ ଅଧିକ ଏତିହାସିକ ଫିଲ୍ମ ତିଆରି କରାଯିବ, ନହେଲେ ଆଗରୁ ଯେମିତି ଫିଲ୍ମ ତିଆରି କରାଯାଉଛି ସେମିତି ଫିଲ୍ମ ନିର୍ମାଣ ଜାରି ରହିବ ।’

ଅକ୍ଷୟଙ୍କୁ ନେଇ ସେ ଆହୁରି କହିଥିଲେ, ‘ଦିନେ ଅକ୍ଷୟ କହିଥିଲେ, ରାଓ୍ବଡି ରାଠୋର ଓ ହାଉସ ଫୁଲ୍ ଭଳି ଫିଲ୍ମରେ ମୋତେ ଅଧିକ ଟଙ୍କା ମିଳିଥାଏ । ସମ୍ରାଟ ପୃଥ୍ବୀରାଜକୁ ନେଇ ଏକ ପରୀକ୍ଷା କରିଛି । ଯଦି ଦର୍ଶକ ଏହାକୁ ପସନ୍ଦ ନକରିବେ ତେବେ ଚିନ୍ତା କରିବାର ନାହିଁ । ପୁଣି ରାଓ୍ବଡି ରାଠୋର ଭଳି ଫିଲ୍ମ କରିବି ।’