PUBG ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା, ଖୁବଶୀଘ୍ର ଦେଶକୁ ମିଳିବ FAU:G

1 min read

ନୂଆଦିଲ୍ଲୀ: ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ PUBGକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର । କିନ୍ତୁ PUBG ବନ୍ଦ ହେବାର ଦ୍ୱିତୀୟ ଦିନରେ ବଲିଉଡର ଖିଲାଡ଼ୀ କୁମାର ଅର୍ଥାତ୍ ଅକ୍ଷୟ କୁମାର ଗେମର୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଅକ୍ଷୟ ପବଜିର ବିକଳ୍ପ ଭାବରେ FAU-G (Fearless And United-Guards ) ଲଞ୍ଚ୍ କରିବାକୁ ଯାଉଛନ୍ତି ।

FAU-G(ଫୌଜି) ଏକ ମଲ୍ଟିପ୍ଲେୟର ଆକ୍ସନ ଗେମ୍ ହେବ ଏବଂ ଅକ୍ଷୟ କୁମାରଙ୍କ ମେଣ୍ଟରସିପରେ ଏହା ଲଞ୍ଚ୍ ହେବ । ଏହି ଆପ୍ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହେବ ଏବଂ ଏହାର ରୋଜଗାରର ୨୦ ପ୍ରତିଶତ ‘ଭାରତ କେ ବୀର ଟ୍ରଷ୍ଟ’କୁ ଯିବ । ସୂଚନାଯୋଗ୍ୟ ‘ଭାରତ କେ ବୀର ଟ୍ରଷ୍ଟ’ ଭାରତର ଯବାନଙ୍କୁ ସମର୍ଥନ କରୁଛି ।

ଉକ୍ତ ଆପକୁ ନେଇ ଅକ୍ଷୟ କୁମାର କହିଛନ୍ତି କି ଯୁବପିଢୀ ପାଇଁ ଏଭଳି ଗେମ୍ ଏଣ୍ଟରଟେନମେଣ୍ଟର ଏକ ଅଂଶ ହୋଇଗଲାଣି । ତେଣୁ ଏହି ଗେମ ମାଧ୍ୟମରେ ସେମାନେ ଯବାନଙ୍କ ବଳିଦାନ ବିଷୟରେ ଜାଣିପାରିବେ । ଏହି ଆପକୁ ଆସନ୍ତା ଅକ୍ଟୋବରରେ ଲଞ୍ଚ କରିବାକୁ ପସ୍ତୁତି ଜାରି ରହିଛି । ଏହାକୁ ଉଭୟ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ପ୍ଲେ ଷ୍ଟୋରରେ ଲଞ୍ଚ୍ କରାଯିବ ।

ସୂଚନାଯୋଗ୍ୟ ଲୁଡୋ ଅଲ ଷ୍ଟାର ଏବଂ ଓ୍ୱର୍ଲଡ ଲୁଡୋ ସୁପରଷ୍ଟାର ମଧ୍ୟ ବ୍ୟାନ ହୋଇଥିବା ଆପ୍ସ ଲିଷ୍ଟରେ ରହିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଗଲଓ୍ୱାନ ଘାଟୀରେ ସୀମା ବିବାଦ ପରେ ୧୦୬ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ଜଣାଶୁଣା ଆପ ଟିକଟକ ମଧ୍ୟ ସାମିଲ ଥିଲା । ଏପର୍ଯ୍ୟନ୍ତ ଚୀନର ୨୨୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗା ସରିଛି ।

Leave a Reply