ଭାରତ ବିରୋଧରେ ପାକିସ୍ତାନର ମେଗାପ୍ଲାନ, ଏଲଓସି ନିକଟରେ ପ୍ରତିଷ୍ଠା କଲାଣି ଟେରର କ୍ୟାମ୍ପ

1 min read

ଜମ୍ମୁ: ଭାରତ ପାକ୍ ସୀମା ବା ଏଲଓସି ନିକଟରେ ଭାରତ ବିରୋଧରେ ପାକିସ୍ତାନର ମେଗାପ୍ଲାନ । ନିଜ ଦେଶରେ ଥିବା ଅନେକ ଆତଙ୍କବାଦ ଶିବିର ଓ ଲଞ୍ଚ ପ୍ୟାଡଗୁଡିକୁ ଏଲଓସି ନିକଟକୁ ପଠାଇବାରେ ଲାଗିଛି ପାକିସ୍ତାନ । ସୀମାରୁ ଅଳ୍ପ କିଛି ଦୂରରେ ଏହି କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରାଯାଇଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ । ଭାରତ ଭିତରକୁ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନ ଏହି ଯୋଜନା କରିଛି ।

ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବିଭିନ୍ନ ଶିବିର ଏଲଓସିରେ ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ କୁହାଯାଇଛି ଭାରତରେ ପ୍ରବେଶ କରିବା ଲାଗି ବହୁ ଏଣ୍ଟ୍ରି ପଏଣ୍ଟ ତିଆରି କରାଯାଇଛି । ଅନୁପ୍ରବେଶ କରିବାକୁ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀ । ଏପରିକି ଭାରତ ଭିତରେ ପାକିସ୍ତାନ ୩୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଡ୍ରୋନ ଜରିଆରେ ଶ୍ରୀନଗର ଆଖପାଖରେ ପକାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଶ୍ରୀନଗରରେ ଲସକର ଓ ଜୈସର ୫୦ ବିଦେଶୀ ଆତଙ୍କବାଦୀ ପ୍ରବେଶ କରିସାରିଥିବା କୁହାଯାଇଛି ।