ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଦୀର୍ଘ ବିଚାରବିମର୍ଶ ପରେ ମଇଦାନରେ ପାଦ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମୋ । ପୂର୍ବରୁ ସେ ନିର୍ବାଚନ ଲଢିବେ ନାହିଁ ଏବଂ ରାଜ୍ୟର ସମସ୍ତ ଆସନକୁ ଯାଇ ନିର୍ବାଚନ ପ୍ରଚାର କରିବାକୁ ପ୍ରକାଶ କରିଥିଲେ । ବିଜେପି ପକ୍ଷରୁ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢୁଥିବାବେଳେ ଅଖିଳେଶ କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବ ଉତ୍ତରପ୍ରଦେଶର ଏକ ଆସନରୁ ସେ ଲଢିବା ସମ୍ଭାବନା ଥିବାବେଳେ ଏକାଦିକ୍ରମେ ଦୁଇଟି ଆସନରୁ ସେ ଲଢିବେ ବୋଲି ଚର୍ଚ୍ଚା ଚାଲିଛି । ବିଜେପିର ଅନେକ ପଛୁଆ ବର୍ଗ ନେତା ଓ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବାବେଳେ ସେ ନିର୍ବାଚନ ଲଢିବା ଲାଗି ବିଭିନ୍ନ ମହଲରୁ ଚାପ ସୃଷ୍ଟି ହୋଇ ଆସୁଥିଲା ।

ଗତ ନଭେମ୍ବରରେ ନିର୍ବାଚନରେ ଲଢିବେ ନାହିଁ ବୋଲି କହିଥିଲେ ଅଖିଳେଶ ଯାଦବ । ୨୦୧୨ରେ ସମାଜବାଦୀ ପାର୍ଟି ବିପୁଳ ଆସନରେ ବିଜୟ ହେବା ପରେ ଅଖିଳେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ କନୌଜ ଲୋକସଭା ଆସନରୁ ସାଂସଦ ଥିଲେ । ପରେ ସେ ବିଧାନସଭା ପରିଷଦରୁ ନିର୍ବାଚିତ ହୋଇ ମାତ୍ର ୩୮ ବର୍ଷ ବୟସରେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ । କନୌଜ ଆସନରୁ ଇସ୍ତଫା ଦେବା ପରେ ସେଠାରୁ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ସ୍ତ୍ରୀ ଡିମ୍ପଲ । ବର୍ତ୍ତମାନ ଆଜମଗଡ଼ରୁ ସାଂସଦ ଅଛନ୍ତି ଅଖିଳେଶ ଯାଦବ ।

Leave a Reply