ହରିୟାଣା ନିର୍ବାଚନ ପରେ କଂଗ୍ରେସକୁ ସମାଜବାଦୀ ପାର୍ଟୀର ନାଲିଆଖି ..

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନ ପରେ ବଦଳୁଛି ରାଜନୀତି । କଂଗ୍ରେସ ଉପରେ ବର୍ତ୍ତମାନ ବଢୁଛି ଚାପ । ଶିବସେନା ଏବଂ ଏନସିପି ପରେ ସମାଜବାଦୀ ପାର୍ଟୀ ଏବେ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି। ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସମାଜବାଦୀ ଦଳ ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି।
ସମାଜବାଦୀ ଦଳ ମହାରାଷ୍ଟ୍ରର ୧୨ଟି ବିଧାନସଭା ଆସନ ଚୟନ କରି ଏହି ତାଲିକା କଂଗ୍ରେସକୁ ପଠାଇଛି। ଯଦି ଏଥିରେ କଂଗ୍ରେସ ସହମତି ପ୍ରକାଶ ନକରିବ ତାହେଲେ ସମାଜବାଦୀ ଏକାକୀ ଏହି ଆସନରୁ ଲଢେଇ କରିବ ବୋଲି ସୂଚନା ମିଳିଛି । ମଧ୍ୟପ୍ରଦେଶ ଏବଂ ହରିୟାଣାରେ ସପା ଗଠବନ୍ଧନ କରିବାକୁ ଚାହୁଁଥିଲା । ହେଲେ ଉଭୟ ରାଜ୍ୟରେ ସମାଜବାଦି ପାର୍ଟିକୁ କଂଗ୍ରେସ ଗୁରୁତ୍ୱ ଦେଇ ନଥିଲା। ତେବେ ଉଭୟ ରାଜ୍ୟର ଫଳାଫଳକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ପୁଣି ସେଭଳି ପରିସ୍ଥିତି ସୃଷ୍ଟି ନହେଉ ବୋଲି ସପା ଏଭଳି ନିଷ୍ପତ୍ତି ନେଇଛି ।
ହରିୟାଣାରେ ପରାଜୟ ପରେ ମହାରାଷ୍ଟ୍ରରେ କଂଗ୍ରେସକୁ ଜଗିରଖି ଆଗକୁ ବଢିବାକୁ ପଡିବ । ହରିୟାଣାରେ କେବଳ କଂଗ୍ରେସ ଦଳ ୮୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ନିର୍ବାଚନ ପୂର୍ବରୁ ଆଶା କରାଯାଉଥିଲା କି ହରିୟାଣାକୁ ୧୦ବର୍ଷ ପରେ ପୁଣି କଂଗ୍ରେସ ଫେରିବ । କିନ୍ତୁ ସବୁ ସଲଟପାଲଟ ହେଇଗଲା। ବର୍ତ୍ତମାନ ଏବେ ମହାରାଷ୍ଟ୍ରର ପାଳି। ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଦଳ ଏବଂ ଏନସିପି ଶରଦ ପାୱାର ଦଳ ସହ କଂଗ୍ରେସର ଏକ ମେଣ୍ଟ ରହିଛି।
ହରିୟାଣାରେ ପରାଜୟ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସହଯୋଗୀ । ଏଭଳି ପରିସ୍ଥିତିରେ କଂଗ୍ରେସ ସମାଜବାଦୀ ପାର୍ଟୀକୁ ମଗାଯାଇଥିବା ଆସନ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ହରିୟାଣାରେ ପରାଜୟ ପାଇଁ ସମସ୍ତ ସହଯୋଗୀ କଂଗ୍ରେସକୁ ଦାୟୀ କରୁଥିବା ସୂଚନା ମିଳିଛି । ଯଦି କଂଗ୍ରେସ ପାର୍ଟି ହରିୟାଣାରେ ଏକ ସହଯୋଗୀ ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା।
ହରିୟାଣା, ଜାମ୍ମୁ କାଶ୍ମୀର ପରେ ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଦଳ ଏବଂ ଏନସିପି ଶରଦ ପାୱାରଙ୍କ ସହ କଂଗ୍ରେସର ଏକ ମେଣ୍ଟ ରହିଛି ଏବଂ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ଦଳ ସହ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ତେବେ ଆସନ ବଣ୍ଟନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ଆଗକୁ ଦେଖିବା କୋଉ ପାଣି କୁଆଡେ ଯାଉଛି ।