ଡିଜିଟାଲ ପ୍ରଚାରରେ ବିଜେପିର ମୁକାବିଲା କରି ପାରିବୁ ନାହିଁ, କମିଶନ ଟଙ୍କା ଦିଅନ୍ତୁ : ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ୟୁପିରେ ପେବୃଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ହେଲେ ନିର୍ବାଚନ ବେଳେ ସଭାସମିତି ଓ ରାଲି ଉପରେ କଟକଣା ଲଗାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ ଜାନୁଆରୀ ପର୍ଯ୍ୟନ୍ତ ସଭା, ସାଇକେଲ କି ବାଇକ୍ ରାଲି ଏବଂ ପଦଯାତ୍ରା ଉପରେ ଉପରେ କମିଶନ ରୋକ୍ ଲଗାଇଛନ୍ତି । କେବଳ ଡିଜିଟାଲ ରାଲି ପାଇଁ ପ୍ରାର୍ଥୀଙ୍କୁ ଅନୁମତି ମିଳିଛି । ଯାହାକୁ ନେଇ ଆଶଙ୍କାରେ ବିଭିନ୍ନ ରାଜନୈତିକ ଦଳ । ବିଶେଷ କରି ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ସାମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଧିକ ବିଚଳିତ ହୋଇଯାଇଛନ୍ତି । ଡିଜିଟାଲ ପ୍ରଚାରରେ ବିଜେପିକୁ ଟକ୍କର ଦେବା ସମ୍ଭବ ନୁହେଁ ବୋଲି କହିବା ସହ ପ୍ରସ୍ତୁତ ହେବା ପାଇଁ ନିର୍ବାଚନ କମିଶନ ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି ।

ଡିଜିଟାଲ ଭିତ୍ତିଭୂମି ନଥିବା ଦଳ କ’ଣ କରିବେ ?

ଡିଜିଟାଲ ରାଲିକୁ ନେଇ ଅଖିଳେଶ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ‘ନିର୍ବାଚନ କମିଶନ ଡିଜିଟାଲ ରାଲିରେ ବିଧାନସଭା ପ୍ରଚାର କଥା କହିଛନ୍ତି । ଏଥିପାଇଁ ପ୍ରତି ଦଳକୁ ସମାନ ମୈଦାନ ମିଳିବା ଦରକାର । କରୋନା ସମୟରେ ପ୍ରଥମ ଥର ଏମିତି ନିର୍ବାଚନ ହେବାକୁ ଯାଉଛି । କମିଶନ ବିଭିନ୍ନ ପ୍ରକାର ନିୟମ କରିଛନ୍ତି । ହେଲେ ଭର୍ଚୁଆଲ ରାଲି କଥା ଯଦି କହିବା, ନିର୍ବାଚନ କମିଶନଙ୍କୁ ସେ ଦଳମାନଙ୍କ ସମ୍ପର୍କରେ ବି ବିଚାର କରିବା ଦରକାର ଯାହା ପାଖରେ ଏମିତି ଡିଜିଟାଲ ରାଲି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ ।’

ଡିଜିଟାଲ ରାଲିରେ ବିଜେପି ଆଗରେ

ଡିଜିଟାଲ ରାଲି ହେଉ କି ସଭା ସମିତି ଏଥିରେ ଦେଶର ଅନ୍ୟ ଦଳମାନଙ୍କ ତୁଳନାରେ ବିଜେପି ବହୁ ଆଗରେ । ଏହା କାହାକୁ ଅଛପା ନାହିଁ । ଡିଜିଟାଲ ଇଣ୍ଡିଆ ସ୍ଲୋଗାନକୁ ଦଳ ବହୁଳ ଭାବେ ନିଜ ରାଜେନୖତିକ କାର୍ଯ୍ୟକ୍ରମରେ ବ୍ୟବହାର କରିଆସୁଛି । ଏହାକୁ ନେଇ ଅଖିଳେଶ କହିଛନ୍ତି, ‘ନିର୍ବାଚନ କମିଶନଙ୍କୁ ବିରୋଧୀ ଦଳଙ୍କୁ ଟିଭିରେ ଅଧିକ ସମୟ ଦେବା ଆବଶ୍ୟକ ଓ ଏହା ମାଗଣାରେ ମିଳିବା ଦରକାର । ବିଜେପି ପାଖରେ ପୂର୍ବରୁ ଭିତ୍ତିଭୂମି ରହିଛି । ଏହି କାରଣରୁ ବିଜେପିକୁ ହିଁ ଅଧିକ ଇଲେକ୍ସନ ବ୍ରାଣ୍ଡ ମିଳିବ । ଅନ୍ୟ ଦଳଙ୍କୁ ମଧ୍ୟ କେଉଁଠୁ ନା କେଉଁଠୁ ଟଙ୍କା ମିଳିବା ଦରକାର ।’

ବିଜେପିକୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ‘ପଞ୍ଚାୟତ ନିର୍ବାଚନରେ ବିଜେପି କାର୍ଯ୍ୟକର୍ତ୍ତା କେମିତି ଅଧିକାରୀ ଭଳି କାମ କରିଥିଲେ ଲୋକେ ଦେଖିଛନ୍ତି । କରୋନା ସମୟରେ ଲୋକଙ୍କୁ ଅକ୍ସିଜେନ ଓ ମେଡିକାଲରେ ବେଡ ମିଳି ନଥିଲା । ସେମାନେ ନିଜ ଇଚ୍ଛାରେ କାମ କରୁଛନ୍ତି । ନିର୍ବାଚନ କମିଶନ ଶାସକ ଦଳ ଉପରେ ଶକ୍ତି ଦେଖାଇବା ଆବଶ୍ୟକ । ’

ଏହାସହ ୧୦ ମାର୍ଚ୍ଚରେ ବିଜେପି ସଫା ହୋଇଯିବ ବୋଲି ସେ କହିଛନ୍ତି ।

‘ବିଜେପିକୁ ମୁକାବିଲା ପାଇଁ ଆମକୁ ଟଙ୍କା ଦିଅ’

ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ଅଖିଳେଶ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଲେ, ‘ନିର୍ବେଚନ କମିଶନ ଦଳମାନଙ୍କୁ କିଛି ଫଣ୍ଡ (ଟଙ୍କା) ଦେବା ଦରକାର । ଏହାଦ୍ବାରା ରାଜନୈତିକ ଦଳମାନେ ପାଦେ ଆଗକୁ ଆଗେଇବେ । ଏହି ଟଙ୍କାରେ ବିଜେପିର ଭିତ୍ତିଭୂମି ସହ ସମକକ୍ଷ ହେବାକୁ ଆମେ ପ୍ରସ୍ତୁତ ହୋଇପାରିବୁ । ନହେଲେ ଆମେ ବିଜେପିର ମୁକାବିଲା କରିପାରିବୁ ନାହିଁ । ଏଥିପାଇଁ ଆମେ ଦାବି କରୁଛୁ, ନିର୍ବାଚନ କମିଶନ ସରକାରଙ୍କ ଜରିଆରେ ରାଜନୈତିକ ଦଳଙ୍କୁ କିଛି ଟଙ୍କା ଦିଅନ୍ତୁ । ଏହାଦ୍ବାରା ଲୋକତନ୍ତ୍ର ବ୍ୟବସ୍ଥାରେ ସବୁ ରାଜେନୖତିକ ଦଳ ବିଜେପି ପରି ଦୃଢ଼ ହୋଇପାରିବେ ଓ ବିଜେପିର ଡିଜିଟାଲ ପ୍ରଚାରକୁ ମୁକାବିଲା କରିପାରିବେ ।’

Leave a Reply