ଅଗ୍ନିବୀର ଯୋଜନାକୁ ନେଇ ଅଖିଳେଶ-ଅନୁରାଗ କଥା କଟାକଟି

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ବଜେଟ୍ ସମ୍ବନ୍ଧରେ ହୋଇଥିବା ଆଲୋଚନାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ମଧ୍ୟରେ ଗୃହରେ ବିତର୍କ ଦେଖିବାକୁ ମିଳିଛି । ଉଭୟ ନେତାଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ମଧ୍ୟ ହୋଇଛି । ଅଖିଳେଶ କହିଥିଲେ କି, ଯଦି ଅଗ୍ନବୀର ଯୋଜନା ଏତେ ଭଲ ତାହେଲେ ରାଜ୍ୟମାନଙ୍କୁ ୧୦ ପ୍ରତିଶତ କୋଟା ଦେବାକୁ କାହିଁକି କହୁଛନ୍ତି । ଏହାର ଉତ୍ତରରେ ଅନୁରାଗ ଠାକୁର କହିଥିଲେ କି, ଏହି ଯୋଜନାରେ ୧୦୦ ପ୍ରତିଶତ ରୋଜଗାରର ଗ୍ୟାରେଣ୍ଟି ରହିଛି । ସେପଟେ ଅଖିଳେଶ କହିଥିଲେ କି, ସେନା ପାଇଁ ପ୍ରସ୍ତୁତ ହେଉଥିବା କୌଣସି ଯୁବକ ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ ।

ଯେତେବେଳେ ଏହି ଯୋଜନା ପ୍ରଥମେ ଆସିଥିଲା ବଡ଼ ବଡ଼ ଶିଳ୍ପପତିମାନେ ଏହାକୁ ପ୍ରଶଂସା କରିବା ସହ ଆମେ ସେମାନଙ୍କୁ ନିଯୁକ୍ତି ଦେବୁ ବୋଲି ଟ୍ବିଟ୍ କରିଥିଲେ । କିନ୍ତୁ ସରକାର ଏହି ଯୋଜନାକୁ ଭଲନୁହେଁ ବୋଲି କହୁଛନ୍ତି ଯେଉଁ କାରଣରୁ ଚାକିରୀ ଛାଡ଼ିବା ଏବଂ ପରେ କୋଟାରେ ଚାକିରୀ ଦେବାକୁ କହୁଛନ୍ତି । ଏହାସହ ଅନୁରାଗ କହିଥିଲେ କି, ମୁଁ ହିମାଚଳରୁ ଆସିଛି । ହିମାଚଳରେ ସର୍ବାଧିକ ସାହସୀ ଯୁବକ ରହିଛନ୍ତି । ଏଠାରେ ଅଧିକ ସହୀଦ ମଧ୍ୟ ହୋଇଛନ୍ତି । ପ୍ରଥମ ପରମବୀର ଚକ୍ର ସମ୍ମାନ ହିମାଚଳ ପ୍ରଦେଶର ଶର୍ମାଙ୍କୁ ଦିଆଯାଇଥିଲା । ସେପଟେ ଅଖିଳେଶ କହିଥିଲେ କି, ଆପଣ ପରମବୀର ଚକ୍ର ସମ୍ପର୍କରେ କହୁଛନ୍ତି କେବେ ମିଲିଟାରୀ ସ୍କୁଲକୁ ଯାଇଛନ୍ତି କି? ମୁଁ ମିଲିଟାରୀ ସ୍କୁଲରେ ପଢ଼ିଛି । କେତେଜଣଙ୍କୁ ପରମବୀର ଚକ୍ର ମିଳିଛି କହିପାରିବେ କି?

ଏହାପରେ ଅନୁରାଗ କହିଥିଲେ କି, ଅଖିଳେଶ କେବଳ ମିଲିଟାରୀ ସ୍କୁଲରେ ପାଠ ପଢ଼ିଛନ୍ତି କିନ୍ତୁ ଆଜି ମଧ୍ୟ ମୁଁ କ୍ୟପଟେନ ଭାବେ ସେବା ଯୋଗାଉଛି । ଏହାପରେ ଅଖିଳେଶ କହିଥିଲେ କି, ଏବେ ମନ୍ତ୍ରୀ ପଦରେ ନାହାନ୍ତି, ଯେଉଁଠି ପାଇଁ କଷ୍ଟ ହେଉଛି । ଯେବେଠୁ ୟୁପିରେ ହାରିଛନ୍ତି, କେହି ନମସ୍କାର କରୁନାହାନ୍ତି ଏଥିପାଇଁ କଷ୍ଟ ଲାଗୁଛି । ଆମେ ସେହି ଭିଡିଓ ଦେଖିଛୁ । ଯେଉଁଥିରେ କେହି କାହାକୁ ନମସ୍କାର କରୁନାହାନ୍ତି ।