ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ । କୋଭିଡ ସମୟରେ ପ୍ରବାସୀଙ୍କ ପାଇଁ କାମ କରିବା ସହ କର୍କଟ ରୋଗୀଙ୍କ ପାଇଁ କାମ କରିଛନ୍ତି ଅଖିଳ । ତାଙ୍କ ପରିବାରର ଲମ୍ବା ରାଜନୈତିକ ଇତିହାସ ରହିଛି । ଜେଜେବାପା ଖୋର୍ଦ୍ଧା ତାପଙ୍ଗ ପଞ୍ଚାୟତର ସରପଞ୍ଚ ଥିଲେ । ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ ସହ ଖୋର୍ଦ୍ଧା ସଂଗଠନ ମଜଭୁତ କରିବାକୁ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ସସ୍ମିତ ।

କଳାକାର ଥିବାବେଳେ ଗାଁ କଥା ମନେ ପଡିଲା । ତେଣୁ ଲୋକଙ୍କ ସେବା ପାଇଁ ବିଜେପିରେ ମିଶିଲେ । ହେଲେ ଦଳ ତାଙ୍କୁ କୋଣଠେସା କଲା । ବିଜୁ ବାବୁ ଚାହୁଁଥିଲେ ନିଜ ଗୋଡ଼ରେ ନିଜେ ଠିଆ ହୁଅ । ନବୀନ ପଟ୍ଟନାୟକ ସେହି ଆଦର୍ଶରେ କାମ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ରଥକୁ ସେ ଟାଣିବାକୁ ଆସିଛନ୍ତି ବୋଲି କହିଛନ୍ତି ଅଖିଳ । ବିରୋଧୀ ଦଳରେ ଥିବାବେଳେ ଅନ୍ଧ ପିଟୁଳି ବାନ୍ଧି ଦେଇଥିଲେ । ବିରୋଧ ଆଳରେ ବିରୋଧ କରିବାକୁ କୁହାଯାଉଥିଲା । ଏଥିରେ ହତୋତ୍ସାହିତ ହୋଇ ବିଜେଡିକୁ ବାଛିଲେ । ନାୟକ ହୋଇ ଯେଉଁମାନେ ଦଳଛାଡିଛନ୍ତି ସେମାନେ ନବୀନଙ୍କ ସହ ଧୋକା କରିଛନ୍ତି ।

ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସେ କେବେ ଭୁଲିବେନି । ତାଙ୍କ ଫୋନ କଲ ଉତ୍ସାହିତ କଲା । ମୋର ଲଢିବାର ଇଛା ଶକ୍ତି ଥିବାରୁ ସେ ବିଜେଡିରେ ଯୋଗଦେବାକୁ କହିଲେ । ଏବେ ଦଳରେ ଯୋଗଦାନ ପରେ ବିଜେଡି ପାଇଁ କାମ କରିବା ସହ ଦଳ ଛାଡିବିନି ବୋଲି କହିଛନ୍ତି ଅଖିଳ । ଅନ୍ଯପଟେ ବିଜେପିରେ ବିଜେପି ଗୋଟେ, ଅପରାଜିତା ଗୋଟେ, ଧର୍ମେନ୍ଦ୍ର ଗୋଟେ, ଆରଏସଏସ ଗୋଟେ । ସେଠି କାହାକୁ ଗୁହାରି କରିବ । ଅପରାଜିତା ଚାହୁଁଛନ୍ତି ବିଜେପି ନଷ୍ଟ ହୋଇଯାଉ, ବିଜେଡି ନଷ୍ଟ ହୋଇଯାଉ, କଂଗ୍ରେସ ନରହୁ । କେବଳ ସେ ରହିକି ମୁଖ୍ଯମନ୍ତ୍ରୀ ହେବେ ବୋଲି ଗୋଟି ଚଳାଉଛନ୍ତି । ପାଇକ ମାଟିରେ ଏହା ସମ୍ଭବ ହେବନି ବୋଲି ଚେତେଇ ଦେଇଛନ୍ତି ଅଖିଳ ।