ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ଜନିତ ସମସ୍ୟା କାରଣରୁ ସିଡନୀ ଟେଷ୍ଟରୁ ବାଦ୍ ପଡ଼ିଲେ ଆକାଶ ଦୀପ

1 min read

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ୨-୧ରେ ପଛୁଆ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଆଉ ଏକ ବଡ଼ ଚିନ୍ତାଜନକ ଖବର । ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅନ୍ତିମ ତଥା ପଞ୍ଚମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଭାରତୀୟ ଖେଳାଳି ଆକାଶ ଦୀପ । ଆକାଶ ଦୀପ ସିଡନୀ ଟେଷ୍ଟରେ ଖେଳିବେନି ବୋଲି ଟିମ୍ ଇଣ୍ଡିଆର ହେଡ୍ କୋଚ ଗୌତମ ଗମ୍ଭୀର ସୂଚନା ଦେଇଛନ୍ତି । ପିଠି ସମସ୍ୟା କାରଣରୁ ଆକାଶ ଦୀପ ପ୍ଲେଇଂ-୧୧ରୁ ବାଦ୍ ପଡ଼ିଥିବା କୋଚ ଗମ୍ଭୀର ସୂଚନା ଦେଇଛନ୍ତି । ଆକାଶଦୀପ ବାଦ୍ ପଡ଼ିବା ପରେ ଏବେ ସିଡନୀ ଟେଷ୍ଟ ପାଇଁ ଦଳରେ କାହାକୁ ସାମିଲ କରାଯିବ, ତାହା ଏକ ବଡ଼ ପ୍ରଶ୍ନ । ଏପରି ସ୍ଥିତିରେ ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଯାଇପାରେ । । ହର୍ଷିତ ପୂର୍ବରୁ ଦୁଇଟି ଟେଷ୍ଟ ଖେଳି ସାରିଥିବାରୁ ସେ ସ୍ଥାନ ପାଇବାର ଅଧିକ ସମ୍ଭାବନା ରହିଛି ।

ଆକାଶଦୀପ ବ୍ରିସେବନ ଓ ମେଲବର୍ଣ୍ଣ ଦୁଇ ଟେଷ୍ଟରେ ୫ଟି ଓ୍ବିକେଟ ଅକ୍ତିଆର କରିଥିଲେ । ତାଙ୍କର ବୋଲିଂରେ ଅନେକ କ୍ୟାଚ ହାତଛଡ଼ା ହୋଇଥିବାରୁ ସେ ଅଧିକ ଓ୍ବିକେଟ ନେବାରୁ ବଞ୍ଚିତ ହୋଇଥିଲେ । ଚଳିତ ସିରିଜରେ ଭ୍ରମଣକାରୀ ଦଳ ଭାରତ ନିଜର ଶୋଚନୀୟ ପ୍ରଦର୍ଶନକୁ ନେଇ ଚିନ୍ତିତ ରହିଥିବା ବେଳେ ଏବେ ଆକାଶ ଦୀପ ବାଦ୍ ପଡ଼ିବା ପରେ ଦଳ ପାଇଁ ଆହୁରି ମୁସ୍କିଲ ବଢ଼ିଯାଇଛି । ଅନ୍ୟପକ୍ଷରେ ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ଖେଳିବା ନେଇ ମଧ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ମଧ୍ୟମ କ୍ରମରେ ପନ୍ତ ଓ ରୋହିତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଓ ସରଫରାଜ ଖାନଙ୍କୁ ସୁଯୋଗ ମିଳିପାରେ । ସୂଚନାଯୋଗ୍ୟ ଯେ, ଚଳିତ ଟେଷ୍ଟ ସିରିଜରେ ଅନ୍ତିମ ମ୍ୟାଚରେ ଜିତି ଭାରତ ସ୍ଥିତି ବରାବର କରିବାକୁ ପ୍ରୟାସ କରିବ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଦର୍ଶନ ଭାରତର ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟସ୍ ଟେବୁଲକୁ ପ୍ରଭାବିତ କରିବ ।