‘ତୁମର ଏତେ ସାହସ, ମୁଁ ତୁମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି..’ ମହିଳା ଅଧିକାରୀଙ୍କ ଉପରେ ରାଗିଲେ ଅଜିତ ପାୱାର

ନନ୍ଦିଘୋଷ ବ୍ୟୁରୋ : ମହିଳା ପୋଲିସ ଅଧିକାରୀଙ୍କ ଉପରେ ରାଗିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ । ଭାଇରାଲ ହେଉଛି ଭିଡିଓ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସୋଲାପୁର ଜିଲ୍ଲା ମାଧା ତାଲୁକାର ଡେପୁଟି ଏସ୍ପି ଅଞ୍ଜଳି କୃଷ୍ଣଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ଏବଂ ଭିଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଅଜିତ ପାୱାର ପୋଲିସ ଅଧିକାରୀଙ୍କୁ ପଥର ଖନନ ତୁରନ୍ତ ବନ୍ଦ କରିବାକୁ କହୁଛନ୍ତି। ଧମକପୂର୍ଣ୍ଣ ସ୍ୱରରେ ଅଜିତ ପାୱାର ନିର୍ଦ୍ଦେଶ ପାଳନ ନକଲେ ଅଞ୍ଜଳି କୃଷ୍ଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ କହୁଛନ୍ତି। ଏହି ଘଟଣାଟି ସେପ୍ଟେମ୍ବର ୧ର ବୋଲି କୁହାଯାଉଛି ।
ସୂଚନା ମୁତାବକ, ମାଧା ତାଲୁକାର କୁର୍ଡୁ ଗାଁରେ, ଗ୍ରାମ ରାସ୍ତା ନିର୍ମାଣ ପାଇଁ ବେଆଇନ ଭାବରେ ପଥର ଖନନ କରାଯାଉଥିଲା, ଯାହାର ଏକ ଅଭିଯୋଗ ତହସିଲ ଅଧିକାରୀ ଏବଂ ଡେପୁଟି ଏସପି ଅଞ୍ଜଳି କୃଷ୍ଣଙ୍କୁ ମିଳିଥିଲା। ଅଭିଯୋଗ ପାଇବା ପରେ, ଅଞ୍ଜଳି କୃଷ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ, କିନ୍ତୁ ଅଜିତ ପାୱାରଙ୍କ ସ୍ଥାନୀୟ କର୍ମୀ ବାବା ଜଗତାପ୍ ତାଙ୍କ ମୋବାଇଲରୁ ଅଜିତ ପାୱାରଙ୍କୁ ଫୋନ୍ କରି ଘଟଣାସ୍ଥଳେ ଉପସ୍ଥିତ ଅଞ୍ଜଳି କୃଷ୍ଣଙ୍କ ସହ କଥା କରାଇଥିଲେ।
ସେହି ଫୋନରେ ଅଜିତ ପାୱାର କହୁଛନ୍ତି ଯେ ମୁଁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ତୁମର କାର୍ଯ୍ୟ ବନ୍ଦ କର ଏବଂ ସେଠାରୁ ଚାଲିଯାଅ। ତୁମର ବରିଷ୍ଠ ଅଧିକାରୀ ଡକ୍ଟର ଶେଜରଙ୍କୁ କୁହ ଯେ ଉପମୁଖ୍ୟମନ୍ତ୍ରୀ ନିଜେ ଏହି ଫୋନ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇର ପରିବେଶ ଖରାପ ଏବଂ ଆମକୁ ସେଠାରେ ପ୍ରାଥମିକତା ଦେବାକୁ ପଡିବ। ମୁଁ ତୁମକୁ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛି।
‘ମୁଁ ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବି’
ଏହି ଭିଡିଓରେ ଅଞ୍ଜଳି କୃଷ୍ଣ କୁହୁଛନ୍ତି ଯେ, ମୁଁ କିପରି ଜାଣିବି ଯେ ଆପଣ ଉପମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି । ଆପଣ ମୋ ମୋବାଇଲରେ କଲ୍ କରନ୍ତୁ । ଏଥିରେ ଅଜିତ ପାୱାର କହୁଛନ୍ତି ଯେ, ତୁମେ ମୋତେ କଲ୍ କରିବାକୁ କହୁଛ। ମୁଁ ତୁମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି। ଏହା ପରେ ଅଞ୍ଜଳି ଅଜିତ ପାୱାରଙ୍କୁ ତାଙ୍କର ଫୋନ୍ ନମ୍ବର ଦେଉଛନ୍ତି । ଅଜିତ ପାୱାର ଅଞ୍ଜଳି କୃଷ୍ଣଙ୍କ ଫୋନ୍ ନମ୍ବର ଲେଖି କହୁଛନ୍ତି, ଯେ ମୁଁ ତୁମକୁ ଭିଡିଓ କଲ୍ କରିବି। ତାପରେ ତୁମେ ମୋ ମୁହଁ ଚିହ୍ନିବ। ତୁମର ସାହସ ବହୁତ ବଢ଼ିଯାଇଛି।
ଅଜିତ ପାୱାର ତୁରନ୍ତ ଏକ ଭିଡିଓ କଲ୍ କରିଛନ୍ତି ଏବଂ ଡେପୁଟି ଏସ୍ପି ଅଞ୍ଜଳି କୃଷ୍ଣଙ୍କୁ କାର୍ଯ୍ୟ ବନ୍ଦ କରି ସେଠାରୁ ଚାଲିଯିବାକୁ କହିଛନ୍ତି । ଏହି ସମୟରେ, ଗାଁ ଲୋକ ଏବଂ ଅଜିତ ପାୱାରଙ୍କ କର୍ମୀମାନେ ପୋଲିସ ଏବଂ ତହସିଲ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା କୁହାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।