ମହାରାଷ୍ଟ୍ରରେ ପାଓ୍ୱାର ଗେମ୍, ବିଜେପିରେ ମିଶି ପାରନ୍ତି ଅଜିତ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ରରେ ପାଓ୍ବାର ଗେମ୍ । ବିଜେପିରେ ମିଶି ପାରନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପୁତୁରା ତଥା ଏନସିପି ଲିଡର ଅଜିତ ପାଓ୍ବାର । ସପ୍ତାହେ ଧରି ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ବଡ଼ଧରଣର ରାଜନୈତିକ ପରିବର୍ତ୍ତନ ହେବ ବୋଲି ଆଜି ସୁପ୍ରିୟା ସୁଲେ ବିସ୍ଫୋଟକ ବୟାନ ଦେଇଛନ୍ତି । ସେପଟେ ଆଜି ବିଧାନ ଭବନରେ ସମର୍ଥକ ବିଧାୟକଙ୍କ ସହ ବୈଠକ କରିଛନ୍ତି ଅଜିତ ପାଓ୍ବାର । ତମାମ ଚର୍ଚ୍ଚା ଆଲୋଚନାକୁ ଏନସିପି ସୁପ୍ରିମୋ ଖଣ୍ଡନ କରିଛନ୍ତି । ହେଲେ ନିଜ ଟୁଇଟର ପେଜରୁ ଅଜିତ ପାଓ୍ବାର ଏନସିପି ଲୋଗୋ ହଟାଇ ଦେଇଥିବା ଦେଖାଯାଇଛି ।

ସେପଟେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ ମଜଭୂତ ରହିବ ବୋଲି ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ କହିଛନ୍ତି । ସେପଟେ ଅଜିତ ପାଓ୍ବର ବିଜେପି ସହ ମେଣ୍ଟରେ ସାମିଲ ହେଲେ ସିନ୍ଦେ ଗୋଷ୍ଠୀ ମେଣ୍ଟରୁ ଓହରିଯିବ ବୋଲି ଦଳ କହିଛି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀର ସରକାର ରହିଛି । ବିଜେପି ପାଖରେ ୧୦୯ ବିଧାୟକ ରହିଥିବା ବେଳେ ୬ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ବିଜେପି ସହ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ୪୦ ଶିବସେନା ବିଧାୟକ ଓ ୧୦ ଜଣ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । ମହାରାଷ୍ଟ୍ର ବିଧାନସଭାରେ ବହୁମତ ସଂଖ୍ୟା ୧୪୫ ହୋଇଥିବା ବେଳେ ଏକନାଥ ସିନ୍ଦେଙ୍କ ପାଖରେ ୧୬୫ ବିଧାୟକ ରହିଛନ୍ତି ।