KKR ପକ୍ଷରୁ ବଡ଼ ଘୋଷଣା: ଅଜିଙ୍କ୍ୟ ରାହାଣେ ଅଧିନାୟକ ନିଯୁକ୍ତ
1 min read
କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସିଜିନର ଠିକ୍ ପୂର୍ବରୁ କୋଲକତା ନାଇଟ ରାଇଡର୍ସ (KKR) ଫ୍ରାଞ୍ଚାଇଜି ଏକ ବଡ଼ ଘୋଷଣା କରିଛି । ଅଜିଙ୍କ୍ୟ ରାହାଣେଙ୍କୁ ଟିମର ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଭେଙ୍କଟେଶ ଅୟରଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି । ରାହାଣେ କେକେଆରର ଟି-୨୦ରେ ୯ମ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି (୨୭ଟି ମ୍ୟାଚ), ବ୍ରେଣ୍ଡନ ମ୍ୟାକକୁଲମ (୧୩ଟି ମ୍ୟାଚ), ଗୌତମ ଗମ୍ଭୀର (୧୨୨ଟି ମ୍ୟାଚ), ଜ୍ୟାକସ କାଲିସ (୨ଟି ମ୍ୟାଚ), ଦିନେଶ କାର୍ତ୍ତିକ (୩୭ଟି ମ୍ୟାଚ), ଇଇନ ମୋର୍ଗାନ (୨୪ଟି ମ୍ୟାଚ), ଶ୍ରେୟସ ଅୟର (୨୯ଟି ମ୍ୟାଚ) ଓ ନୀତିଶ ରାଣା (୧୪ଟି ମ୍ୟାଚ)ରେ କ୍ୟାପ୍ଟେନଶିପ କରିସାରିଛନ୍ତି ।
ରାହାଣେ ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗସ (CSK) ତରଫରୁ ଖେଳୁଥିଲେ । ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ କରିଦେଇଥିଲା । ଆଇପିଏଲ ୨୦୨୫ର ମେଗା ଅକ୍ସନରେ କୋଲକାତା ଫ୍ରାଞ୍ଚାଇଜି ରାହାଣେଙ୍କୁ ବେସ ପ୍ରାଇସରେ କିଣିଥିଲା । ତାଙ୍କର ବେସ ପ୍ରାଇସ ୧.୫୦ କୋଟି ଟଙ୍କା ରହିଥିଲା । ୩୬ ବର୍ଷୀୟ ରାହାଣେ ଆଇପିଏଲରେ ଏବେସୁଦ୍ଧା ୧୮୫ଟି ମ୍ୟାଚ ଖେଳିସାରିଛନ୍ତି । ସେ ୩୦.୧୪ ହାରରେ ୪୬୪୨ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୨୩.୪୨ ରହିଛି । ସେଥିରେ ୨ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି ।
ଅନ୍ୟପକ୍ଷରେ ଭେଙ୍କଟେସ ଅୟରଙ୍କୁ ମଧ୍ୟ ଏକ ବଡ଼ ଦାୟିତ୍ବ ଦିଆଯାଇଛି । କ୍ରମାଗତ କେକେଆରର ତରଫରୁ ଖେଳୁଥିବା ଭେଙ୍କଟେଶଙ୍କୁ ଫ୍ରାଞ୍ଚାଇଜି ଗତଥର ରିଲିଜ କରିଦେଇଥିଲା । ମାତ୍ର ମେଗା ଅକ୍ସନରେ ଦ୍ବିତୀୟ ଥର କିଣି ନେଇଥିଲା । କୋଲକାତା ତାଙ୍କୁ ଦ୍ବିତୀୟ ଥର କିଣିବା ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବର୍ତ୍ତମାନ ସ୍ଥିତିରେ ଭେଙ୍କଟେଶ ସବୁଠାରୁ ମହଙ୍ଗା ପ୍ଲେୟାର ଅଟନ୍ତି ।