ନ୍ୟୁଜିଲାଣ୍ଡ ଟିମରେ ‘ମୁମ୍ବାଇ’ ବୋଲରଙ୍କ କମାଲ; ଗୋଟିଏ ଇନିଂସରେ ହାସଲ କଲେ ୧୦ ଓ୍ୱିକେଟ

1 min read

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ଏହି ଟେଷ୍ଟର ପ୍ରଥମ ଇନିଂସରେ ୩୨୫ ରନ କରିଛି ଭାରତ । ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଇତିହାସ ରଚିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ତରଫରୁ ଯାହା କୌଣସି ସ୍ପିନର କରିପାରିନଥିଲେ ତାହା କରିଦେଖାଇଛନ୍ତି ଭାରତରେ ଜନ୍ମିତ ଏଜାଜ ପଟେଲ । ଏକାକୀ ଭାରତକୁ ଅଲଆଉଟ କରିଛନ୍ତି ଏଜାଜ । ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ ଓ୍ବିକେଟ ହାସଲ କରି ରଚିଛନ୍ତି ଇତିହାସ । ତୃତୀୟ ବୋଲର ଭାବରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ଏଜାଜ ।

ଗୋଟିଏ ଇନିଂସରେ ସମସ୍ତ ୧୦ ଓ୍ୱିକେଟ ହାସଲ କରିବାରେ ଏଜାଜ ହେଉଛନ୍ତି ବିଶ୍ୱରେ ତୃତୀୟ ବୋଲର । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଜିମ୍ ଲକେର ଏବଂ ଭାରତର ଲିଜେଣ୍ଡ ସ୍ପିନର ଅନିଲ କୁମ୍ବଲେ ଏହି ରେକର୍ଡ ହାସଲ କରିଥିଲେ । ଇଂଲଣ୍ଡର ଜିମ୍ ଲକେର ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ଓ୍ୱିକେଟ ହାସଲ କରିଥିଲେ । ଲେକର ୫୧.୨ ଓଭର ବୋଲିଂ କରି ୫୩ ରନରେ ଦେଇ ହାସଲ କରିଥିଲେ ୧୦ ଓ୍ୱିକେଟ । ସେହିପରି ଅନିଲ କୁମ୍ବଲେ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ରଚିଥିଲେ ଏହି ରେକର୍ଡ । ଅନିଲ କୁମ୍ବଲେ ୨୬.୩ ଓଭର ବୋଲିଂ କରି ୭୪ ରନ ଦେଇ ୧୦ ଓ୍ବିକେଟ ହାସଲ କରିଥିଲେ । ତେବେ ଆଜି ଏଜାଜ ପଟେଲ ୪୭.୫ ଓଭର ବୋଲିଂ କରି ୧୧୯ ରନ ଦେଇ ସମସ୍ତ ୧୦ ଓ୍ୱିକେଟ ହାସଲ କରିଥିଲେ ।

ଏଜାଜ ପଟେଲଙ୍କ ପାଇଁ ମୁମ୍ବାଇ ଟେଷ୍ଟ ଅତ୍ୟନ୍ତ ସ୍ମରଣୀୟ ରହିଛି। କାହିଁକି ନା ଏଜାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ଆଉ ଏବେ ତାଙ୍କ ଜନ୍ମସ୍ଥାନରେ ଏମିତି ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା କୌଣସି ନ୍ୟୁଜିଲାଣ୍ଡ ସ୍ପିନର କରିନଥିଲେ । ଏଜାଜ ପଟେଲ ୧୦ ଓ୍ୱିକେଟ ହାସଲ କରି ଯେତେବେଳେ ପ୍ୟାଭିଲିୟନ ଫେରିଥିଲେ ସେ ସମୟରେ ଭାରତୀୟ ଖେଳାଳି ମଧ୍ୟ ଏଜାଜଙ୍କୁ ଅଭିବାଦନ ଦେଇଥିଲେ ।

Leave a Reply