ଜଗା ଦୁଆରେ ବାପା, କାନ୍ଧରେ ଦୁଇ ପିଲା

1 min read

ପୁରୀ: ଶ୍ରବଣ କୁମାରଙ୍କ କଥା ତ ଆପଣ ଜାଣିଥିବେ । କେମିତି ଦୃଷ୍ଟିହୀନ ବାପାମାଆଙ୍କୁ କାନ୍ଧରେ ବୋହିଥିଲେ । ଏ ତ ଥିଲା ସତ୍ୟ ଯୁଗର କଥା । ହେଲେ କଳିଯୁଗରେ ବି ଅଛନ୍ତି ଏମିତି ଜଣେ ଶ୍ରବଣ କୁମାର । ଏଠି ସେ ବାପାମାଆଙ୍କୁ ନୁହେଁ, ନିଜର ଦୁଇ ଶିଶୁଙ୍କୁ କାନ୍ଧରେ ବୋହି ଆସିଛନ୍ତି ପୁରୀ ।

ଭାରରେ ଦୁଇ ପିଲାଙ୍କୁ ବସାଇ ବାପା ଜଣଙ୍କ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ପିଲାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବେ । ଜଟଣୀକୁ ଚାଲି ଚାଲି ଆସି ପୁରୀରେ ପହଞ୍ଚିଛନ୍ତି କୁସୁମାଟି ଛଣଘର ଅଂଚଳର ଅଜୟ ଖମାରି । ମାନସିକ ପୂରଣ ପାଇଁ ସେ ଭାରରେ ପିଲାଙ୍କୁ ବୋହି ପୁରୀ ଆସିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଅଜୟଙ୍କ ପୁଅ ଜନ୍ମ ହେବା ପରେ ୧୨ ଦିନ ପର୍ଯ୍ୟନ୍ତ ICUରେ ଚିକିତ୍ସାଧିନ ରହିଥିଲା । ସ୍ୱାସ୍ଥ ହେଲେ ମହାପ୍ରଭୁଙ୍କ ନିକଟକୁ ପିଲାକୁ କାନ୍ଧେଇକି ନେବାକୁ ଅଜୟ ମାନସିକ କରିଥିଲେ । ପିଲା ସୁସ୍ଥ ହେବା ପରେ ସେ ପୁଅ ଓ ଝିଅକୁ ଦୁଇ କାନ୍ଧରେ ଝୁଲାଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି । ରାତି ତମାମ ଚାଲି ଚାଲି ଆଜି ସକାଳେ ପୁରୀରେ ପହଁଚି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ।