୨୦୨୩ର ତୃତୀୟ ସବୁଠୁ ବଡ଼ ଓପନିଂ ଫିଲ୍ମ ହେବାକୁ ଯାଉଛି ‘ଭୋଲା’?

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’ର ଆଡଭାନ୍ସ ବୁକିଂ ଖୁବ୍ ଜୋରସୋରରେ ଚାଲିଛି । ମାର୍ଚ୍ଚ ୩୦ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ୩୭ ହଜାରରୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ କରିସାରିଲାଣି । ଫିଲ୍ମ ରିଲିଜକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।

ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଭୋଲା’ର ମୋଟ୍ ୬୪ ଲକ୍ଷ ଟଙ୍କାର ଟିକେଟ୍ ବିକ୍ରି ହୋଇସାରିଲାଣି । ଏହି ଫିଲ୍ମ ତାମିଲ ବ୍ଲକବ୍ଲାଷ୍ଟର ଫିଲ୍ମ ‘କୈଥୀ’ର ହିନ୍ଦୀ ରିମେକ୍ । କୈଥୀର ନିର୍ଦ୍ଦେଶନା ଦେଇଥିଲେ ଲୋକେଶ କନଗରାଜ । ଯେଉଁଥିରେ ଲିଡ୍ ରୋଲରେ ଥିଲେ ଅଭିନେତା କାର୍ଥୀ। ତେବେ ଲୋକେଶ କୈଥୀ ପରେପରେ ମାଷ୍ଟର ଓ ବିକ୍ରମ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଆଉ ଏବେ ଏହି ଫିଲ୍ମର ହିନ୍ଦୀ ଭର୍ସନକୁ ନିଜେ ଅଜୟ ଦେବଗନ ଡାଇରେକ୍ଟ କରୁଛନ୍ତି । ତାଙ୍କ ସହ ଫିଲ୍ମରେ ଅମଲା ପଲ ଲିଡ୍ ରୋଲରେ ଥିବା ବେଳେ ଅଭିନେତ୍ରୀ ତବୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।

ରିପୋର୍ଟ ମୁତାବିକ ଫିଲ୍ମଟି ପ୍ରଥମ ଦିନରେ ୧୫ କୋଟି ଟଙ୍କାର ଓପନିଂ କରିପାରେ । ଯଦି ଏମିତି ହୁଏ, ତାହେଲେ ‘ପଠାନ’ ଓ ‘ତୁ ଝୁଠି ମେ ମକାର’ ପରେ ଏହା ୨୦୨୩ ମସିହାର ତୃତୀୟ ସବୁଠୁ ବଡ଼ ଓପନିଂ ଫିଲ୍ମ ହୋଇଯିବ ।