ଅକ୍ଷୟଙ୍କ କ୍ଷମାପତ୍ର ଉପରେ କ’ଣ କହିଲେ ଅଜୟ ଦେବଗନ ?

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପାନ ମସଲା ବିଜ୍ଞାପନକୁ ନେଇ ସୋସିଅଲ ମିଡିଆରେ ଛାଇ ଯାଇଛନ୍ତି । ସମସ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି । ଅବଶ୍ୟ ଲୋକଙ୍କ ଟ୍ରୋଲିଂର ଶିକାର ହେବାପରେ ଖିଲାଡ଼ୀ କୁମାର ଏହି ବିଜ୍ଞାପନରୁ ନିଜକୁ ବାହାର କରି ନେଇଛନ୍ତି । ତଥାପି ମଧ୍ୟ ଲୋକେ ଆଲୋଚନା କରିବା ବନ୍ଦ କରୁ ନାହାଁନ୍ତି । ଏହା ମଧ୍ୟରେ ସମାନ ଘଟଣା ଘଟିଛି ଅଜୟ ଦେବଗନ ଏବଂ ଶାହାରୁଖ ଖାନଙ୍କ ସହିତ  । ଏହିଭଳି ବଡ଼ ବଡ଼ ସେଲିବ୍ରିଟି ପାନ ମସଲା ବିଜ୍ଞାପନ ସହିତ ଜଡ଼ିତ । କିନ୍ତୁ ଲୋକଙ୍କୁ ଏହା ପସନ୍ଦ ଆସୁନାହିଁ ।

 

ନିକଟରେ ପାନ ମସଲାର ବିଜ୍ଞାପନ କରିବାକୁ ସାଉଥ୍‌ ସୁପରଷ୍ଟାର ଆଳ୍ଲୁ ଅର୍ଜୁନ ମନା କରି ଦେଇଥିଲେ । ଏହା ପଛର ଏକମାତ୍ର କାରଣ ହେଉଛି ତାଙ୍କ ପ୍ରଶଂସକଙ୍କୁ ସେ ଆଘାତ ଦେବାକୁ ଚାହାଁନ୍ତି ନାହିଁ । ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି । ଏଭଳି ସ୍ଥିତିରେ ବଲିଉଡ ଷ୍ଟାରଙ୍କ ଟ୍ରୋଲ ହେବା ସାଧାରଣ କଥା । ଯଦିଓ ଅକ୍ଷୟ କୁମାର କ୍ଷମା ମାଗି ନିଜକୁ ଏହି ବିଜ୍ଞାପନରୁ ନିବୃତ୍ତ କରି ସାରିଛନ୍ତି ତଥାପି ଏପର୍ଯ୍ୟନ୍ତ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । କିନ୍ତୁ ଅଜୟ ଦେବଗନ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ତାଙ୍କ କହିବା ହେଉଛି କିଏ କେଉଁଭଳି ବିଜ୍ଞାପନ କରିବ ତାହା ତା’ର ବ୍ୟକ୍ତିଗତ ପସନ୍ଦ । ଲୋକଙ୍କର ବୁଦ୍ଧି ବିଚାର କରି ନିଷ୍ପତ୍ତି ନେବାର ଜ୍ଞାନ ଏବଂ ଅଭିଜ୍ଞତା ଅଛି । ଲୋକେ ଜାଣନ୍ତି କେଉଁଟି ଠିକ୍‌ ଏବଂ କେଉଁଟି ଭୁଲ୍‌ ।