ଗାଜାର ହସ୍ପିଟାଲରେ କିଏ କଲା ଏୟାରଷ୍ଟ୍ରାଇକ ?

ନନ୍ଦିଘୋଷ ବ୍ୟୁରୋ: ଗାଜାର ହସ୍ପିଟାଲରେ କିଏ କଲା ଏୟାରଷ୍ଟ୍ରାଇକ ? ଇସ୍ରାଏଲ ନା ହମାସ? ଏହାକୁ ନେଇ ଚାଲିଛି ଦୋଷାରୋପ । ଏହି ଆକ୍ରମଣ ଇସ୍ରାଏଲ ଆଡୁ ହୋଇଛି ବୋଲି କହିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ । ତେଣେ ବିସ୍ଫୋରଣ ପଛରେ ହମାସ ରହିଛି ବୋଲି କହିଛି ଇସ୍ରାଏଲ । ଏହି ହମଲାରେ ୫୦୦ରୁ ଅଧିକ ଲୋକ ପ୍ରାଣ  ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ଶିଶୁ ଓ ମହିଳା । ପାଲେଷ୍ଟିନୀୟ ବସବାସ କରୁଥିବା ଅଞ୍ଚଳର ଅଲ ଆଲି ଆରବ ହସ୍ପିଟାଲରେ ହୋଇଥିଲା ରକେଟ ମାଡ଼ ।

ଜୀବନ ବିକଳରେ ଲୋକେ ଆରମ୍ଭ କରିଛନ୍ତି ପଳାୟନ । ଗୁଇନ୍ଦା ସୂଚନା ଅନୁସାରେ ଇସଲାମିକ ଜିହାଦ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ ମାଡ କରୁଥିବା ବେଳେ ତାହା ବିଫଳ ହୋଇ ହସ୍ପିଟାଲରେ ପଡିଥିଲା । ଏହି ସମୟରେ ଇସ୍ରାଏଲର କୌଣସି ଏରିଆଲ ଅପରେସନ ହେଉ ନଥିଲା । ସେପଟେ ଏହି ହମଲା ପଛରେ ଇସ୍ରାଏଲର ହାତ ରହିଛି ବୋଲି ଦାବି କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ମୁଭମେଣ୍ଟ । ଏହି ରକେଟ ହମଲା ଲାଗି ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି ସାଉଦିଆରବ, ୟୁଏଇ, ବାହାରିନ, ଇଜିପ୍ଟ, ଜୋର୍ଡାନ ଓ ତୁର୍କୀ ।  ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଦାନିଏଲ ହାଗାରି କହିଛନ୍ତି ଏହି ହମଲା ଲାଗି ଇସଲାମିକ ଜିହାଦ ଦାୟୀ ।

ରକେଟମାଡ ପ୍ରସଙ୍ଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଏହି ଘଟଣା ପରେ ଇରାନ ତେହେରାନସ୍ଥିତ ବ୍ରିଟେନ ଓ ଫ୍ରାନ୍ସ ଦୂତାବାସ ଉପରେ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ରକେଟ ମାଡକୁ ବି ନିନ୍ଦା କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ । ତେଣେ ଗାଜା ହସ୍ପିଟାଲ ଉପରେ ଆକ୍ରମଣକୁ ଆରବ ଜଗତରେ କରାଯାଇଛି ବିରୋଧ । ଲେବାନନ ବେରୁଟରେ ଆମେରିକୀୟ  ଦୂତାବାସରେ ଲୋକେ ନିଆଁ ଲଗାଇଦେଇଥିବାବେଳେ ଟ୍ୟୁନିସିଆ ସମେତ ବିଭିନ୍ନ ଦେଶରେ ଏୟାରଷ୍ଟ୍ରାଇକକୁ ନେଇ କରାଯାଇଛି ପ୍ରତିବାଦ ।