ମାର୍ଚ୍ଚରୁ କଳାହାଣ୍ଡିର ଉତକେଲାରୁ ଉଡ଼ିବ ବିମାନ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚରୁ କଳାହାଣ୍ଡିର ଉତ୍‌କେଲାରୁ ଉଡ଼ିବ ବିମାନ । ବିଡ଼ିଂ ପାଇଁ ୪ ବିମାନବନ୍ଦରର ତାଲିକା ଦେଇଛି ରାଜ୍ୟ । ୩ ଦେଶକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଥିବା ବେଳେ, ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ବିମାନ ଉଡ଼ାଣକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ସୁଦ୍ଧା କଳାହାଣ୍ଡି ଉତକେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ।

ଏୟାର ଷ୍ଟ୍ରିପରେ ଉନ୍ନୟନ କାମ ସରିଥିବା ବେଳେ, ଲାଇସେନ୍ସ ପାଇଁ ଆବେଦନ ହୋଇଛି । ଫେବ୍ରୁଆରୀରେ ଲାଇସେନ୍ସ ହସ୍ତଗତ ହେବା ପରେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ପହିଲାରୁ ଉଡିବ ବିମାନ । ଉତକେଲା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଉଡ଼ିବା ଆରମ୍ଭ ହେବ । ଏହାର ବିକାଶ ପାଇଁ ୫୦ କୋଟି ଟଙ୍କା ମିଳିଛି । ଅବଶିଷ୍ଟ ଏୟାରଷ୍ଟ୍ରିପର ବିକାଶ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ହୋଇନି । ବର୍ଷକ ଭିତରେ ୩ଟି ବିମାନବନ୍ଦରରୁ ବିମାନ ଉଡ଼ିବ ।

ଅନ୍ୟପଟେ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡାଣ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଚୟନ କରାଯାଇଛି । କିଛିଦିନ ଭିତରେ ୩ ଦେଶକୁ ସିଧା ଉଡ଼ିବ ବିମାନ । ଉଡାନ୍ ଯୋଜନାରେ ମୟୂରଭଞ୍ଜର ଅମର୍ଦ୍ଦା ରୋଡ, ସମ୍ବଲପୁରର ହୀରାକୁଦରେ ଥିବା ଜମାଦାରପଲ୍ଲୀ, କୋଣାର୍କ ଓ ମାଲକାନଗିରି ଏୟାରଷ୍ଟ୍ରିପକୁ ଆଞ୍ଚଳିକ ଉଡ଼ାଣ ପାଇଁ ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ଆରସିଏସ ବା ଉଡ଼ାନ୍ ବିଡ଼ିଂରେ ବିମାନବନ୍ଦରକୁ ସାମିଲ କରିବାକୁ ଯୋଜନା ରହିଛି । ପୂର୍ବରୁ ଭୁବନେଶ୍ବରରେ ଥିଲା ଏକମାତ୍ର ବିମାନବନ୍ଦର । ଏହାରି ଭିତରେ ଝାରସୁଗୁଡ଼ା, ରାଉରକେଲା, ଜୟପୁର ବିମାନବନ୍ଦରରୁ ଯାତ୍ରୀ ସେବା ଆରମ୍ଭ ହୋଇଛି । ଆଗକୁ ଓଡ଼ିଶାରେ ବେସାମରିକ ବିମାନ ଚଳାଚଳ ସମୃଦ୍ଧ ହେବାର ଆଶା ଉଦଜୀବିତ ହୋଇଛି ।