ଜାନୁଆରୀରେ ମାଲକାନଗିରିକୁ ଉଡ଼ିବ ବିମାନ

1 min read

ଭୁବନେଶ୍ବର: ଉପାନ୍ତ ଜିଲ୍ଲା ମାଲକାନଗିରିରୁ ଉଡ଼ିବ ବିମାନ। ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ରନଓ୍ବେ, ପାଚେରୀ, ଏଟିସି ଟାଓ୍ବାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି । ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି । ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚପଦସ୍ତ ଟିମ୍‌ ମାଲକାନଗିରି ବିମାନବନ୍ଦର ଗସ୍ତ କରି ପ୍ରସ୍ତୁତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍‌କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି । ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଜିଲ୍ଲା ଆଜି ରୂପାନ୍ତରଣ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି । ବିମାନ ସେବା ଆରମ୍ଭ ହେବା ଜିଲ୍ଲା ପାଇଁ ବଡ଼ ଉପଲବ୍ଧି ।