ଆଜିଠୁ ସ୍ବାଭାବିକ ହେବ ଏୟାର ଇଣ୍ଡିଆ ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ସ୍ବାଭାବିକ ହେବ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବା । ଏନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି । ସ୍ବାଭାବିକ ବିମାନ ସେବା ଲାଗି ସମସ୍ତ ବ୍ଯବସ୍ଥା କରାଯାଇଛି । କ୍ରିଉ ମେମ୍ବରଙ୍କ ସମୂହ ଛୁଟି କାରଣରୁ ବିମାନ ସେବାରେ ବାଧା ସୃଷ୍ଟି ହେବା ସହ କମ୍ପାନୀ ୩୦ କୋଟି ଟଙ୍କା କ୍ଷତି ସହିଛି ।

୩୦ ଜଣ କ୍ରିଉ ମେମ୍ବର ଆକସ୍ମିକ ଅସୁସ୍ଥକାଳୀନ ଛୁଟିରେ ରହିବାରୁ ପ୍ରାୟ ସପ୍ତାହେ ଧରି ସଂସ୍ଥାରେ ଦେଖାଦେଇଥିଲା ଅଚଳାବସ୍ଥା । ପ୍ରାୟ ୧୦୦ଟି ବିମାନର ଯାତ୍ରାକୁ ବାତିଲ କରିଥିଲେ କର୍ତ୍ତୃପକ୍ଷ । ପ୍ରଭାବିତ ହୋଇଥିଲେ ପ୍ରାୟ  ୧୫ ହଜାର ଯାତ୍ରୀ । ସେପଟେ ବିମାନ ସେବା ବାତିଲ ଓ ବିଳମ୍ବ ପ୍ରସଙ୍ଗରେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ତଲବ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ଗତ ୧୧ ତାରିଖରେ ମୁଖ୍ଯ ଶ୍ରମ ଆୟୁକ୍ତଙ୍କ ଦ୍ବାରା ଆହୂତ ବୈଠକରେ ଆନ୍ଦୋଳନରତ କର୍ମଚାରୀ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ଯରେ ହୋଇଥିବା ଆଲୋଚନା ଅନୁସାରେ କର୍ମଚାରୀଙ୍କୁ ପୁନଃଅବସ୍ଥାପିତ ଲାଗି ନିଷ୍ପତ୍ତି ହୋଇଥିଲା ।