ସରକାର ବଦଳିବା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବାୟୁ ସ୍ବାସ୍ଥ୍ୟସେବା ଯୋଜନା
ନବରଙ୍ଗପୁର: ଉପାନ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବାକୁ ବାୟୁ ସ୍ଵାସ୍ଥ୍ଯସେବା ଯୋଜନା ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମାଲକାନଗିରି, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଥିଲା ଏହି ସେବା । ଉପକୃତ ହେଉଥିଲେ ଉପାନ୍ତ ଅଞ୍ଚଳ ଲୋକେ । ହେଲେ ସରକାର ବଦଳିବା ପରେ ଏବେ ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି ବାୟୁ ସ୍ଵାସ୍ଥ୍ଯସେବା ଯୋଜନା ।
ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଥିଲା ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ଯସେବା । ଉପକୃତ ହେଉଥିଲେ ଉପାନ୍ତ ଅଞ୍ଚଳ ଲୋକେ । ପ୍ରଥମ କରି ମାଲକାନଗିରି ଜିଲ୍ଲାରୁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ମଧ୍ୟ ଏହି ସ୍ବାସ୍ଥ୍ୟସେବା ଆରମ୍ଭ ହୋଇଥିଲା । ପ୍ରତ୍ଯେକ ୩ରୁ ୪ ମାସ ବ୍ଯବଧାନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିଲା ବାୟୁ ସ୍ଵାସ୍ଥ୍ଯସେବା । ଏହି ଯୋଜନାରେ ରାଜ୍ଯ ତଥା ରାଜ୍ଯ ବାହାରର ବଛାବଛା ସ୍ପେଶାଲିଷ୍ଟ ଓ ସୁପର ସ୍ପେଶାଲିଷ୍ଟ ଡାକ୍ତର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆସୁଥିଲେ । ଚାରିଦିନ ଧରି ଚାଲିଥାଏ ଏହି କ୍ଯାମ୍ପ । ଏଥିରେ ରୋଗୀଙ୍କୁ ଚିକିତ୍ସା କରିବା ସହ ଅସ୍ତ୍ରୋପଚାର ମଧ୍ଯ କରିଥାନ୍ତି ଡାକ୍ତର । ନବରଙ୍ଗପୁର ଜିଲ୍ଲାରେ ଏହି ସେବା ଚାରିଥର ଯୋଗାଇ ଦିଆଯାଇଥିଲା । ଏହି ଅଭିନବ ସ୍ଵାସ୍ଥ୍ଯସେବା ଜରିଆରେ ଉପକୃତ ହୋଇଥିଲେ ହଜାର ହଜାର ଲୋକେ ।
ହେଲେ ସରକାର ବଦଳିବା ପରେ ଏବେ ଅନିଶ୍ଚିତତା ଘେରକୁ ଚାଲିଯାଇଛି ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ଯ ସେବା । ବର୍ତ୍ତମାନ ବିଜେପି ସରକାର ଆସିବାକୁ ୧୨୦ ଦିନ ବିତିଗଲାଣି । ହେଲେ ଏପର୍ଯ୍ଯନ୍ତ ନବରଙ୍ଗପୁର ଜିଲ୍ଲାରେ ବାୟୁ ସ୍ଵାସ୍ଥ୍ଯସେବା ଲୋକଙ୍କୁ ଯୋଗାଇ ଦିଆଯାଇନାହିଁ । ଫଳରେ ଗରିବ ଓ ଦୁରାରୋଗ୍ଯରେ ପୀଡ଼ିତ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ସ୍ଥିତିରେ ବାୟୁ ସ୍ଵାସ୍ଥ୍ଯସେବାକୁ ଜାରି ରଖିବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଡାବୁଗାଁ ବିଧାୟକ କହିଛନ୍ତି ଆଦିବାସୀ ଅଞ୍ଚଳରେ ଏହିଭଳି ଯୁଗାନ୍ତକାରୀ ସ୍ୱାସ୍ଥ୍ୟସେବା ଜାରି ରହିବା ଆବଶ୍ୟକ। ଅନ୍ୟପଟେ ଏହି ସ୍ଵାସ୍ଥ୍ଯସେବା ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ବୋଲି ଚିକିତ୍ସା ଅଧିକାରୀ କହିଛନ୍ତି ।
ଉପାନ୍ତ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଏକ ନୂତନ ଅଧ୍ୟାୟ ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଯାହା ଏବେ ବିଜେପି ସରକାର ଅମଳରେ ଅନିଶ୍ଚିତ ଘେରକୁ ଠେଲି ହୋଇଯାଇଛି ।