ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ନୈନିତାଲ: ଉତ୍ତରାଖଣ୍ଡ ଜଙ୍ଗଲରେ ବେକାବୁ ନିଆଁ ଲିଭାଇବା ଦାୟିତ୍ବ ନେଇଛି ବାୟୁସେନା । ନୈନିତାଲର ଲଡିଆକାଣ୍ଟା ନିଆଁ ଲିଭାଇବା ପାଇଁ ବାୟୁସେନା ନିୟୋଜିତ ହୋଇଛି । ବନ ବିଭାଗ ଓ ସେନାର ପ୍ରୟାସ ପରେ ଖୋଦ ବାୟୁସେନା ଅଣ୍ଟା ଭିଡିଛି ।
ନିଆଁ ଲିଭାଇବା ପାଇଁ ସକାଳ ୭ଟାରେ ଦୁଇ ହେଲିକପ୍ଟର ଭୀମତାଲ ହ୍ରଦରୁ ପାଣି ଉଠାଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଛନ୍ତି । ପାଣିର ଆବଶ୍ୟକତାକୁ ଦେଖି ପ୍ରଶାସନ ନୈନିତାଲର ସମସ୍ତ ହ୍ରଦରେ ଜଳକ୍ରୀଡା ବନ୍ଦ କରି ଦିଆଯାଇଛି ।
ପାଖାପାଖି ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଏବେ କେବଳ ଲଡିଆକାଣ୍ଟା ନିଆଁକୁ ହେଲିକପ୍ଟର ସାହାଯ୍ୟରେ ଆୟତ୍ତ କରାଯାଇଛି । କୁମାଉଁର ଅନ୍ୟ ଜଙ୍ଗଲରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାୟୁସେନାର ସାହାଯ୍ୟ ନିଆଯିବ । ଶନିବାର ସକାଳେ ଦୁଇଟି ହେଲିକପ୍ଟର ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସକାଳ ସାଢେ ୭ଟା ସୁଦ୍ଧା ପାଣି ଲିଫ୍ଟ କରାଯାଇ ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା ବାୟୁସେନା । ଶେଷରେ ଦୁଇ ଘଣ୍ଟା ପରିଶ୍ରମ ପରେ ସାଢେ ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା ।