ଅସ୍ଥାୟୀ ଭାବେ ମିଗ୍-୨୧ ଯୁଦ୍ଧ ବିମାନର ସମସ୍ତ ଉଡ଼ାଣ ବନ୍ଦ କଲା ବାୟୁସେନା

1 min read

ନୂଆଦିଲ୍ଲୀ: ମିଗ୍-୨୧ ଯୁଦ୍ଧ ବିମାନକୁ ନେଇ ବଡ଼ ନିଷ୍ପତ୍ତି ନେଇ ଭାରତୀୟ ବାୟୁସେନା । ସମସ୍ତ ମିଗ୍-୨୧ ଯୁଦ୍ଧ ବିମାନର ଉଡ଼ାଣ ବନ୍ଦ କରିଛି ବାୟୁସେନା । ରାଜସ୍ଥାନରେ ଏକ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ହେବାର ଦୁଇ ସପ୍ତାହ ପରେ ଏହି ବଡ଼ ନିଷ୍ପତ୍ତି ନେଇଛି ବାୟୁସେନା । ଖବର ସରବରାହ ସଂସ୍ଥା ଏଏନଆଇର ଏକ ରିପୋର୍ଟ ଅନୁସାରେ ମିଗ୍-୨୧ ଯୁଦ୍ଧ ବିମାନର ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବେ ରଦ୍ଦ କରାଯାଇଛି କାରଣ ୮ ମଇରେ ହୋଇଥିବା ଦୁର୍ଘଟଣାର ତଦନ୍ତ ଏବେ ଜାରି ରହିଛି ଏବଂ ଦୁର୍ଘଟଣାର କାରଣ ନେଇ ଯାଞ୍ଚ ଚାଲିଛି ।

ଦୀର୍ଘ ସମୟ ଧରି ମିଗ୍-୨୧ ଭାରତୀୟ ବାୟୁସେନାର ପ୍ରମୁଖ ଆଧାର ଭାବେ ଜଣାଯାଉଥିଲା । ୧୯୬୦ ଦଶକର ଆରମ୍ଭରେ ବାୟୁସେନାରେ ସାମିଲ ହେବା ପରେ, ଭାରତୀୟ ବାୟୁସେନା ନିଜର ସମଗ୍ର ଯୁଦ୍ଧ କୌଶଳକୁ ଆଗକୁ ବଢ଼ାଇବା ପାଇଁ ୭୦୦ରୁ ଅଧିକ ମିଗ୍-୨୧ ଯୁଦ୍ଧ ବିମାନର କ୍ରୟ କରିଥିଲା । ବର୍ତ୍ତମାନ ବାୟୁସେନା ପାଖରେ ପ୍ରାୟ ୫୦ ବିମାନ ସହ ତିନି ମିଗ୍-୨୧ ସ୍କ୍ୱାଡ୍ରନ ରହିଛି । ବାୟୁସେନା ଗତ ବର୍ଷ ଅବଶିଷ୍ଟ ମିଗ୍-୨୧ ଯୁଦ୍ଧ ସ୍କ୍ୱାଡ୍ରନଗୁଡ଼ିକୁ ଫେଜ୍ କରିବା ପାଇଁ ତିନି ବର୍ଷର ସମୟ ସୀମା ଚୂଡାନ୍ତ କରିଥିଲା​​ ।

ସୋଭିୟତ ମୂଳର ଏହି ବିମାନର ସ୍କ୍ୱାଡ୍ରନକୁ ହଟାଇବାର ଯୋଜନା ଭାରତୀୟ ବାୟୁସେନାର ଆଧୁନୀକରଣ ଅଭିଯାନର ଅଂଶ ଅଟେ । ରାଜସ୍ଥାନ ଆକାଶରେ ଦୁର୍ଘଟଣାଗ୍ରସ୍ତ ଯୁଦ୍ଧ ବିମାନ ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାଣରେ ଥିଲା ଯେବେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ପାଇଲଟ ସାମାନ୍ୟ ଆହତ ହୋଇଥିଲେ । ଏହାପରେ ଦୁର୍ଘଟଣାର ସଠିକ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଥିଲା ।