‘ଶିଶୁ ସଂସାର’ କାର୍ଯ୍ୟକ୍ରମର ବଡ଼ ଭାଇ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ, ୯୦ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

Former AIR Cuttack Programme Presenter Nadia Bihari Mohanty Dies At 91 Years

କଟକ: ବିଶିଷ୍ଟ ସାହିତ୍ୟିକ ତଥା ଆକାଶବାଣୀରେ ବହୁଳ ପ୍ରସାରିତ ଶିଶୁ ସଂସାର କାର୍ଯ୍ୟକ୍ରମର ବଡ଼ ଭାଇ ନଦିଆ ବିହାରୀ ମହାନ୍ତିଙ୍କର ୯୦ ବର୍ଷ ବୟସରେ ପରଲୋକ ହୋଇଛି । ସେ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୦୧୩ ମସିହାରେ ନଦିୟା ବିହାରୀଙ୍କୁ ଶିଶୁ ସାହିତ୍ୟ. କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ପ୍ରଦାନ କରିଥିଲେ । କେନ୍ଦ୍ରାପଡ଼ାର କାଉପଡ଼ା ଗ୍ରାମରେ ନଦିୟା ବିହାରୀଙ୍କ ଜନ୍ମ । ନଦିୟାଙ୍କ ପିତା ଓକିଲ ଥିଲେ । ଗାଁରେ ପିଲା ବେଳ କଟିବା ପରେ ସେ କଟକ ଆସିଥିଲେ । ତେଲେଙ୍ଗା ବଜାରରେ ରହି ପାଠ ପଢୁଥିବା ବେଳେ ଲେଖାଲେଖି ପ୍ରତି ତାଙ୍କ ରୁଚି ବଢିଥିଲା । ସ୍କୁଲରେ ପଢିବା ବେଳେ ସେ ଅଭିନୟ ମଧ୍ୟ କରୁଥିଲେ ।
ରେଭେନ୍ସା କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେ ଲେଖାଲେଖି ଆରମ୍ଭ କରିଥିଲେ । ବ୍ୟଙ୍ଗ କବିତା ଓ ସାହିତ୍ୟ ପ୍ରତି ତାଙ୍କର ଅଧିକ ରୁଚି ଥିଲା । ସ୍କୁଲରେ ପଢୁଥିବା ସମୟରେ ସେ ନିଜ ସାଙ୍ଗମାନଙ୍କୁ ହସାଇବା ପାଇଁ ବ୍ୟଙ୍ଗ କବିତା ଲେଖୁଥିଲେ । ଏହି ସମୟରେ ସେ ମଧ୍ୟ ସ୍କୁଲରେ ଅନୁଷ୍ଠିତ ହେଉଥିବା ନାଟକରେ ଅଭିନୟ ଆରମ୍ଭ କରିଥିଲେ ।

ରେଭେନ୍ସା କଲେଜରେ ପଢିବା ବେଳେ ସେ ମହାପାତ୍ର ନିଳମଣୀ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ବିଜ୍ଞାନର ପ୍ରଥମ ବର୍ଷର ଛାତ୍ର ଥିବା ବେଳେ ନିଳମଣୀ ସାହୁ ଥିଲେ ଚତୁର୍ଥ ବର୍ଷ ଛାତ୍ର । ନିଳମଣୀଙ୍କୁ ସଂସ୍ପର୍ଶରେ ଆସି ସେ କବିତା ଲେଖିବା ଆରମ୍ଭ କରିଥିଲେ ।
୧୯୪୮ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ରେଡିଓ ଷ୍ଟେସନ ଖୋଲିଥିଲା । କଟକର ଅଲ ଇଣ୍ଡିଆ ରେଡିଓରେ ସେ କାମ ପାଇଥିଲେ । ଓକିଲାତି ପାସ କରିସାରିଥିବା ନଦିୟା ୧୯୫୮ ମସିହାରେ ଅଲ ଇଣ୍ଡିଆ ରେଡିଓରେ ପ୍ରୋଗ୍ରାମ ପ୍ରେଜେଣ୍ଟର ଭାବେ ଯୋଗ ଦେଇଥିଲେ ।
ଶିଶୁ ସଂସାର କାର୍ଯ୍ୟକ୍ରମ ତାଙ୍କୁ ଓଡ଼ିଶାର ଗାଁ ଗହଳିରେ ପରିଚିତ କରାଇଥିଲା । ୧୯୯୦ ଦଶକ ପର୍ଯ୍ୟନ୍ତ ଓଡ଼ିଶାରେ ଏମିତି କେହି ନଥିଲେ ଯେଉଁ ମାନେ ଶନିବାର ପ୍ରସାରିତ ଶିଶୁ ସଂସାର କାର୍ଯ୍ୟକ୍ରମକୁ ଶୁଣି ନଥିବେ । କଟକ ରେଡିଓରେ ପ୍ରସାରତି ରେଡିଓ ମେଗାଜିନ୍ ସ୍ପୋକେନ୍ ୱାର୍ଡର ପ୍ରଯୋଜକ କାଳନ୍ଦୀ ଚରଣ ପାଣିଗ୍ରାହୀ ତାଙ୍କୁ ଶିଶୁ ସଂସାର କାର୍ଯ୍ୟକ୍ରମର ‘ବଡ଼ ଭାଇ’ ଚରିତ୍ରର ସ୍ୱର ଦେବାକୁ କହିଥିଲେ । ଆଉ ଆଗକୁ ଚାଲି ସେ ଓଡ଼ିଶାରେ ବଡ଼ ଭାଇ ଭାବେ ପରିଚିତ ହୋଇଥିଲେ । ଏଥିରେ ତାଙ୍କୁ ବୀଣାପାଣି ମହାନ୍ତି ଓ ନିହାର ନାୟକ ସହଯୋଗ କରୁଥିଲେ ।
ଶିଶୁ ସାହିତ୍ୟକ ଭାବେ ସେ ମନ ପବନ ଓ ମୀନାବଜାର ପାଇଁ ନିୟମିତ ଲେଖୁଥିଲେ । ଶିଶୁ ସାହିତ୍ୟକ ରାମକୃଷ୍ଣ ନନ୍ଦ ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରୁଥିଲେ ବୋଲି ଏକ ସାକ୍ଷାତକାରରେ ସେ ଥରେ କହିଥିଲେ ।

Leave a Reply