ଲଦାଖରେ ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀ

ସୀମାରେ ଆଲର୍ଟ । ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଲଦାଖ ଅଞ୍ଚଳକୁ ଘନ ଘନ ଗସ୍ତ । ଚୀନର ମେରୁଦଣ୍ଡ ଭାଙ୍ଗିବାକୁ ପୂରା ପ୍ରସ୍ତୁତି । ଗୋଟିଏ ଭୁଲକୁ ଅପେକ୍ଷା । ଛାରଖାର କରିବାକୁ ଭାରତୀୟ ସେନା ପ୍ରସ୍ତୁତ । ଗତ ଦୁଇ ସପ୍ତାହ ପୂର୍ବରୁ ଆର୍ମୀ ଚିଫ୍ ଜେନେରାଲ ଏମଏମ ନରଓ୍ବାଣେ ଦଲାଖ ଗସ୍ତ କରିଥିବା ବେଳେ ଆଜି ପୂର୍ବ ଲଦାଖରେ ପହଞ୍ଚିଛନ୍ତି ବାୟୁସେନା ପ୍ରମୁଖ ଭିଆର ଚୌଧୁରୀ ।

ଲଦାଖରେ ପହଞ୍ଚିବା ପରେ ବାୟୁସେନା ପ୍ରସ୍ତୁତିର ସମୀକ୍ଷା କରିଥିଲେ ଚୌଧୁରୀ। ଏହାସହ ଏୟାରବେଶ କର୍ମଚାରୀ ଓ ବାୟୁବୀରଙ୍କ ସହ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇଥିଲେ ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ୮୯ତମ ବାୟୁସେନା ଦିବସରେ ପୂର୍ବ ଲଦାଖରେ ଚୀନ ସେନାର ଗତିବିଧି ବଢ଼ିଥିବା କହିଥିଲେ ଏୟାର ଚିଫ୍ ମାର୍ଶଲ ଚୌଧୁରୀ । ଏହାସହ ସେ ଆହୁରି କହିଥିଲେ ଯେ, ଚୀନ୍ ବାୟୁସେନା ଏଲଏସି ଆରପଟେ ୩ଟି ଏୟାର ଫିଲ୍ଡରେ ଉପସ୍ଥିତି ବଢ଼ାଇଛି । ହେଲେ ଏହା ଆମ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବନି ।

ବାୟୁସେନା ପ୍ରମୁଖ ପଦ ସମ୍ଭାଳିବା ପରେ ଏୟାର ଚିଫ୍ ମାର୍ଶଲଙ୍କ ଏହା ପ୍ରଥମ ଲଦାଖ ଗସ୍ତ । ଶନିବାର ସେ ଲେହରେ ଏୟାରଫୋର୍ସ ଷ୍ଟେସନ ଓ ଉତ୍ତରୀ ସେକ୍ଟରରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଥିଲେ ।

ଗୋଟିଏ ପଟେ ଚୀନ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଆରପଟେ କମାଣ୍ଡର ସ୍ତରୀୟ ବୈଠକକୁ ଆସି ଶାନ୍ତିବାର୍ତ୍ତାର କଥା କହୁଛି । ଗତ ୧୦ ତାରିଖରେ ହୋଇଥିବା ୧୩ତମ କମାଣ୍ଡର ସ୍ତରୀୟ କଥାବାର୍ତ୍ତାରୁ କୌଣସି ନିଷ୍ପତ୍ତି ବାହାରି ପାରିନଥିଲା ।

Leave a Reply