ଲଣ୍ଡନ: ଅନେକ କ୍ରିକେଟ ମ୍ୟାଚ ଅଧାରୁ ବନ୍ଦ ହେବା ଘଟଣା ଆପଣ ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । କେତେବେଳେ ବର୍ଷା ହେତୁ ତ ପୁଣି କେତେବେଳେ ଖରାପ ଲାଇଟ ହେତୁ, ବେଳେବେଳେ ଅନିୟନ୍ତ୍ରିତ ଦର୍ଶକଙ୍କ ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଥାଏ । କିନ୍ତୁ ମଙ୍ଗଳବାର ଦିନ ଇଂଲଣ୍ଡର ବ୍ରିଷ୍ଟଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଗ୍ଲୁଷ୍ଟରଶୟର ଏବଂ ଡରହମ ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ଏପରି ଘଟଣା ଘଟିଥିଲା ଯାହା ପୂର୍ବରୁ କେବେ ଘଟିନଥିଲା । ଚାଲିଥିବା ମ୍ୟାଚ ମଧ୍ୟରେ ହେଲିକପ୍ଟର (ଏୟାର ଆମ୍ବୁଲାନ୍ସ) ପଡ଼ିଆରେ ଅବତରଣ କରିଥିଲା । ଏହି କାରଣରୁ ମ୍ୟାଚକୁ ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ କରିବାକୁ ପଡିଲା ।

ଚାଲିଥିଲା ପ୍ରଥମ ଓଭରର ଖେଳ
ଏହି ଘଟଣା ମ୍ୟାଚ୍ ଆରମ୍ଭରେ ଘଟିଥିଲା । ଗ୍ଲୁଷ୍ଟଶୟାର ଫିଲ୍ଡିଂ କରୁଥିଲା ଏବଂ ପ୍ରଥମ ଓଭରର ପାଞ୍ଚଟି ବଲ ବୋଲିଂ କରାଯାଇଥିଲା । ତା’ପରେ ଏକ ଏୟାର ଆମ୍ବୁଲାନ୍ସ ପଡ଼ିଆ ଆଡକୁ ଆସୁଥିବା ଦେଖାଗଲା । ମ୍ୟାଚ୍ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା । ତେଣୁ ଯେତେବେଳେ ହେଲିକପ୍ଟର ଓହ୍ଲାଇଲା ସେତେବେଳେ ସମସ୍ତ ଖେଳାଳି ପଡ଼ିଆଛାଡି ବାହାରକୁ ଆସିଥିଲେ।

ଗ୍ରାଉଣ୍ଡ ପାଖରେ ଏକ ଘରେ ଥିଲେ ରୋଗୀ
ଏୟାର ଆମ୍ବୁଲାନ୍ସର ସେବା ଦେଉଥିବା କମ୍ପାନୀ ଗ୍ରେଟ ୱେଷ୍ଟର୍ଣ୍ଣ ଏୟାରକ ଆମ୍ବୁଲାନ୍ସ ଜାରି କରିଥିବା ବୟାନ ମୁତାବକ, ଆମ୍ବୁଲାନ୍ସ ଏକ ରୋଗୀର ଚିକିତ୍ସା କରି ଫେରୁଥିଲା, ସେତେବେଳେ ସୂଚନା ମିଳିଲା ଯେ, ବ୍ରିଷ୍ଟଲ ଗ୍ରାଉଣ୍ଡ ପାଖରେ ଜଣେ ଲରୋଗୀ ଗୁରୁତର ଅଛନ୍ତି । ଆଖପାଖରେ କୈଣସି ଖାଲି ସ୍ତାନ ନଥିବାରୁ ହେଲିକଫ୍ଟରକୁ ଗ୍ରାଉଣ୍ଡ ଭିତରେ ଲାଣ୍ଡିଂ କରିବାକୁ ପଡ଼ିଲା । ମ୍ୟାଚର ସିଧାପ୍ରସାରଣ କରୁଥିବା BBC କମେଣ୍ଟେଟର ମାର୍ଟିନ ଏମର୍ସନ ଏହି ଘଟଣାର ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

